Unknown

 

 

 

 

 

 

 

 

 

 

ପଞ୍ଚତନ୍ତ୍ର

(ଚତୁର୍ଥ ଖଣ୍ଡ)

ଅଧ୍ୟାପକ ଶ୍ରୀଧର ଦାସ

 

ଲବ୍‌ଧ ପ୍ରଣାଶ

(ଚତୁର୍ଥ ତନ୍ତ୍ର)

 

ବର୍ତ୍ତମାନ ଲବ୍‌ଧ ପ୍ରଣାଶ ନାମକ ଚତୁର୍ଥ ତନ୍ତ୍ର ଆରମ୍ଭ କରାଯାଉଅଛି । ତାହାର ପ୍ରଥମ ଶ୍ଳୋକ ହେଉଛି–

 

ସୁମତ୍ପନ୍ନେଷୁ କାର୍ଯ୍ୟେଷୁ ବୁଦ୍ଧିର୍ଯସ୍ୟ ନ ହୀୟତେ ।

ସ ଏବ ଦୁର୍ଗଂ ତରତି ଜଳସ୍ଥୋ ବାନରୋ ଯଥା ।୧।

 

କାର୍ଯ୍ୟ ଉପସ୍ଥିତ ହେଲେ ଯାହାର ବୁଦ୍ଧି ଲୋପ ହୁଏ ନାହିଁ, ସେ ଜଳସ୍ଥିତ ବାନର ପରି ସଙ୍କଟରୁ ଉଦ୍ଧାର ପାଇଥାଏ ।୧।

 

ଏ ବିଷୟରେ ଏହି କାହାଣୀ ଶୁଣାଯାଏ–

 

କଥା-୧

 

କୌଣସି ସମୁଦ୍ରତଟରେ ଗୋଟିଏ ବୃହତ୍‌ ଜାମୁକୋଳି ଗଛ ଥିଲା । ସେଥିରେ ସର୍ବଦା ଫଳ ରହିଥାଏ । ଏହି ବୃକ୍ଷ ଉପରେ ରକ୍ତମୁଖ ନାମରେ ଗୋଟିଏ ବାନର ବାସ କରୁଥିଲା । ଏକ ସମୟରେ କରାଳମୁଖ ନାମକ ଏକ କୁମ୍ଭୀର ସମୁଦ୍ରଜଳରୁ ଉଠିଆସି ଉକ୍ତ ବୃକ୍ଷର ନିମ୍ନଭାଗରେ ବାଲୁକାମୟ ତଟଦେଶରେ ବସିଲା । ରକ୍ତମୁଖ ତାହାକୁ ପଚାରିଲା, ‘‘ତୁମେ ହେଉଛ ମୋର ଅଭ୍ୟାଗତ ଅତିଥି । ତେଣୁ ମୁଁ ଯେଉଁ ଅମୃତତୁଲ୍ୟ ଜମ୍ବୁଫଳ ଦେଉଛି, ତାକୁ ଭୋଜନ କର । କଥିତ ଅଛି–

 

ଅତିଥି ପ୍ରିୟ ହୋଇଥାଉ ବା ଶତ୍ରୁ ହୋଇଥାଉ, ମୂର୍ଖ ହୋଇଥାଉ ବା ପଣ୍ଡିତ ହୋଇଥାଉ, ସେ ଯଦି ବୈଶ୍ୱଦେବ ଯଜ୍ଞର ଶେଷରେ ଉପସ୍ଥିତ ହୋଇଥାଏ, ତେବେ ସେ ଗୃହସ୍ଥକୁ ସ୍ୱର୍ଗଗାମୀ କରାଏ ।୨।

 

(ବୈଶ୍ୱଦେବ ଯଜ୍ଞ - ଯହିଁରେ ସବୁ ଦେବତାଙ୍କୁ ଭକ୍ଷ୍ୟ ଦ୍ରବ୍ୟ ଦିଆଯାଇଥାଏ ।)

 

ମହର୍ଷି ମନୁ କହିଅଛନ୍ତି - ବୈଶ୍ୱଦେବ ପରେ ତଥା ଶ୍ରାଦ୍ଧସମୟରେ ଉପସ୍ଥିତ ଅତିଥିକୁ ତାଙ୍କର ଚରଣ (ଶାଖା), ଗୋତ୍ର, ବିଦ୍ୟା, କୁଳ ଏସବୁ ପଚାରିବା ଉଚିତ ନୁହେଁ ।୩।

 

ଦୂର ପଥଗମନ ହେତୁ ଶ୍ରାନ୍ତ, ବୈଶ୍ୱଦେବ ପରେ ଉପସ୍ଥିତ ଅତିଥିଙ୍କୁ ଯେ ପୂଜାକରେ, ସେ ପରମ ଗତି ଲାଭ କରେ ।୪।

 

ଯେଉଁ ଲୋକର ଗୃହରୁ ଅତିଥି ପୂଜା ନ ପାଇ ଦୀର୍ଘନିଃଶ୍ୱାସ ପକାଇ ଫେରିଯାନ୍ତି, ସେହି ଲୋକର ପିତୃପୁରୁଷଙ୍କ ସହିତ ଦେବତାମାନେ ମଧ୍ୟ ତା ପ୍ରତି ବିମୁଖ ହୋଇଥାନ୍ତି ।’’ ।୫।

 

ରକ୍ତମୁଖ ଏହିପରି କହି ତାକୁ ଗୁଡ଼ିଏ ଜମ୍ବୁଫଳ ଦେଲା । ସେଗୁଡ଼ିକ ଖାଇ କରାଳମୁଖ ତାହା ସହିତ ବହୁକାଳ ପର୍ଯ୍ୟନ୍ତ ବାର୍ତ୍ତାଳାପ ସୁଖ ଅନୁଭବ କରି ନିଜ ଘରକୁ ଚାଲିଗଲା । ଏହିପରି ସେ ବାନର ଓ କୁମ୍ଭୀର ପ୍ରତିଦିନ ଜମ୍ବୁବୃକ୍ଷର ଛାୟାରେ ବସି ସୁଖରେ କାଳ କଟାଇଲେ । କୁମ୍ଭୀର ନିଜେ ଖାଇସାରିବା ପରେ ଅବଶିଷ୍ଟ ଜମ୍ବୁଫଳଗୁଡ଼ିକୁ ଗୃହକୁ ନେଇ ତାର ଭାର୍ଯ୍ୟାକୁ ଦେଉଥିଲା । ଦିନେ ତା’ର ଭାର୍ଯ୍ୟା ପଚାରିଲା, ‘‘ନାଥ, ଏଭଳି ଅମୃତତୁଲ୍ୟ ଫଳ ତୁମେ କେଉଁଠାରୁ ପାଉଛ ?’’ ସେ କହିଲା, ‘‘ଭଦ୍ରେ ! ରକ୍ତମୁଖ ନାମକ ଏକ ବାନର ମୋର ପରମ ବନ୍ଧୁ ଅଟନ୍ତି । ସେ ପ୍ରୀତିପୂର୍ବକ ଏହି ଫଳଗୁଡ଼ିକ ମୋତେ ଦିଅନ୍ତି ।’’

 

ତହୁଁ ଭାର୍ଯ୍ୟା କହିଲା, ‘‘ଯିଏ ସବୁବେଳେ ଏପରି ଅମୃତତୁଲ୍ୟ ଫଳ ଖାଉଛି, ତାର କଲିଜା ନିଶ୍ଚୟ ଅମୃତମୟ ହୋଇଥିବ । ଏଣୁ ତୁମର ଯଦି ମୋଭଳି ପତ୍ନୀରେ ପ୍ରୟୋଜନ ଥାଏ, ତେବେ ତା’ର କଲିଜାଟି ଆଣି ମୋତେ ଦିଅ । ତାହାହେଲେ ମୁଁ ତାକୁ ଖାଇ ଜରା ଓ ମରଣରୁ ମୁକ୍ତ ହୋଇ ତୁମ ସହିତ ସୁଖଭୋଗ କରୁଥିବି ।’’ କୁମ୍ଭୀର କହିଲା, ‘‘ପ୍ରିୟେ, ଏପରି କଥା କହ ନାହିଁ । କାରଣ, ସେ ମୋତେ ଭାଇ ବୋଲି ସ୍ୱୀକାର କରିନେଇଛନ୍ତି । ଦ୍ୱିତୀୟତଃ, ସେ ଏଇ ଫଳଗୁଡ଼ିକର ଦାତା । ତେଣୁ ମୁଁ ତାଙ୍କୁ ବଧ କରିପାରିବି ନାହିଁ । ଏ ବୃଥା ଆଗ୍ରହକୁ ତ୍ୟାଗ କର । କଥିତ ଅଛି–

 

ଏକ ବନ୍ଧୁ ମାତାଠାରୁ ଜନ୍ମିଥାଏ; ଦ୍ୱିତୀୟ ବନ୍ଧୁ ହେଉଛି ସମ୍ଭାଷଣପ୍ରସୂତ । ପଣ୍ଡିତମାନେ ଏ ଦୁହିଁଙ୍କ ମଧ୍ୟରେ ସମ୍ଭାଷଣପ୍ରସୂତ ବନ୍ଧୁକୁ ସହୋଦର ବନ୍ଧୁଠାରୁ ଉଚ୍ଚତର ସ୍ଥାନ ଦେଇଥାନ୍ତି ।’’ ।୬।

 

ତହୁଁ କୁମ୍ଭୀର ଭାର୍ଯ୍ୟା କହିଲା, ‘‘ତୁମେ କେବେ ମୋ କଥାକୁ ଅନ୍ୟଥା କରିନାହଁ । ତେଣୁ ସେ ନିଶ୍ଚୟ ବାନରୀ ହୋଇଥିବ (ବାନର ହୋଇନଥିବ) । ତୁମେ ତାହାରି ପ୍ରେମରୁ ପ୍ରତିଦିନ ସେଠାକୁ ଯାଉଛ । ତୁମକୁ ମୁଁ ଏବେ ଠିକ୍‌ ଚିହ୍ନିଲି । ଯେହେତୁ ତୁମେ ମୋ ସଙ୍ଗରେ ପ୍ରସନ୍ନ ମନରେ କଥାବାର୍ତ୍ତା କରୁନାହଁ; ମୋର କୌଣସି ଇଚ୍ଛା ପୂରଣ କରୁନାହଁ । ରାତ୍ରିରେ ଅଗ୍ନିଶିଖା ପରି ଉଷ୍ଣ ଦୀର୍ଘଶ୍ୱାସ ପକାଉଛ । ମୋର କଣ୍ଠକୁ ଆଲିଙ୍ଗନ କରିବାରେ ତୁମର ଶିଥିଳତା ଆସିଛି । ଆଦରରେ ମୋତେ ଚୁମ୍ବନ କରୁନାହଁ । ତେଣୁ ହେ ଧୂର୍ତ୍ତ ! ତୁମ ହୃଦୟରେ ମୋ ଛଡ଼ା ଅନ୍ୟ କୌଣସି ପ୍ରିୟତମା ବିରାଜମାନ କରିଛି ।’’ ।୭।

 

କୁମ୍ଭୀର କୁପିତା ଭାର୍ଯ୍ୟାର ପାଦ ଧରି ତାକୁ କୋଳରେ ବସାଇ ଦୀନ ଭାବରେ କହିଲା, ‘‘ହେ କୋପନେ ! ହେ ପ୍ରାଣପ୍ରିୟେ ! ମୁଁ ତୁମର ପାଦତଳେ ପଡ଼ୁଛି; ତୁମର ଦାସତ୍ୱ ସ୍ୱୀକାର କରୁଛି-। ତେବେ କେଉଁ କାରଣରୁ ତମେ ମୋ ଉପରେ କୋପ କରୁଛ ?’’ ।୮।

 

କୁମ୍ଭୀରପତ୍ନୀ ଏହା ମଧ୍ୟ ଶୁଣି ଅଶ୍ରୁ ବିଗଳିତ ଚକ୍ଷୁରେ ସ୍ୱାମୀକୁ କହିଲା, ‘‘ହେ ବଞ୍ଚକ ! ତୁମ ମନଭିତରେ କପଟ ପ୍ରେମ ହେତୁ ମନୋହାରିଣୀ ବୋଧ ହେଉଥିବା ସେହି ପ୍ରେମିକା ଶତ ଶତ ମନୋରଥ ସହ ରହିଛି । ସେଠାରେ ମୋପାଇଁ ଟିକିଏ ହେଲେ ସ୍ଥାନ ନାହିଁ । ତେଣୁ ମୋ ପାଦତଳେ ପଡ଼ି ବିଡ଼ମ୍ବନା ଦେଖାଇବାରେ କି ଲାଭ ।୯।

 

ଦ୍ୱିତୀୟ କଥା ହେଉଛି, ଯଦି ସେ ମର୍କଟୀ ତୁମର ପ୍ରେୟସୀ ହୋଇନଥାନ୍ତା, ତେବେ ମୁଁ ଏତେ କହିଲେ ସୁଦ୍ଧା ତୁମେ ତାକୁ ମାରିବାକୁ ରାଜି ହେଉନାହଁ କାହିଁକି ? ଯଦି ସେ ବାନରୀ ନ ହୋଇ ବାନର ହୋଇଥାଏ, ତେବେ ତୁମର ତା’ ସଙ୍ଗରେ କିପରି ସ୍ନେହ ହୋଇପାରେ ? ଆଉ ବେଶି କହିବି କଅଣ ? ଯଦି ତା’ର କଲିଜା ଖାଇବାକୁ ନ ପାଏ, ତେବେ ଜାଣିଥାଅ, ଉପବାସରେ ରହି ପ୍ରାଣ ହରାଇଦେବି ।’’

 

ଭାର୍ଯ୍ୟାର ଏହି ନିଶ୍ଚୟ ଜାଣିପାରି ରକ୍ତମୁଖ ବ୍ୟାକୁଳ ହୃଦୟରେ କହିଲା–‘‘ଯଥାର୍ଥରେ କଥିତ ଅଛି ଯେ–

 

ବଜ୍ରଲେପର, ମୂର୍ଖର, ନାରୀର, କର୍କଟର, ମତ୍ସ୍ୟର, ନୀଳରଙ୍ଗର ଓ ମଦ୍ୟପର ପ୍ରକୃତି ସମାନ ଅର୍ଥାତ୍‌ ଏମାନେ ଯାହା ଧରିଥାନ୍ତି, ତାହାକୁ ଛାଡ଼ନ୍ତି ନାହିଁ ।୧୦। ଏବେ କଅଣ କରିବି ? କିପରି ତାକୁ ମାରିବି ?’’

 

ଏହିପରି ଚିନ୍ତା କରି କରି କୁମ୍ଭୀର ବାନର ନିକଟକୁ ଗଲା । ବାନର ମଧ୍ୟ ବହୁକାଳ ପରେ କୁମ୍ଭୀରକୁ ଆସୁଥିବାର ଦେଖି ଉଦ୍‌ବିଗ୍ନ ହୋଇ କହିଲା, ‘‘ହେ ମିତ୍ର, ଆଜି ଏତେ ବିଳମ୍ବରେ ଆସିଲ କାହିଁକି ? ହୁଷ୍ଟ ମନରେ କଥା କହୁନାହଁ କାହିଁକି ? ଉତ୍ତମ ଉପଦେଶବାଣୀ ଶୁଣାଉନାହଁ କାହିଁକି ?’’

 

କୁମ୍ଭୀର କହିଲା, ‘‘ମିତ୍ର ! ଆଜି ତୁମ ଭାଉଜ ଅତି କଠୋର ଭାଷାରେ ମୋତେ କହିଲା, ‘ହେ କୃତଘ୍ନ ! ମୋତେ ଆଉ ତୁମ ମୁହଁ ଦେଖାଇବ ନାହିଁ ।କାରଣ, ତୁମେ ପ୍ରତିଦିନ ମିତ୍ରଙ୍କଠାରୁ ଫଳ ଆଣି ଖାଉଛ; କିନ୍ତୁ ତାଙ୍କୁ ଘର ଦେଖାଇ ସୁଦ୍ଧା ପ୍ରତ୍ୟୁପକାର କରିପାରୁନାହଁ । ତୁମର ଏ ପାପର ପ୍ରାୟଶ୍ଚିତ ନାହିଁ । କଥିତ ଅଛି–

 

ସ୍ମୃତିକାରମାନେ ବ୍ରହ୍ମହତ୍ୟାକାରୀଙ୍କ ପାଇଁ, ମଦ୍ୟପଙ୍କପାଇଁ, ଚୋରଙ୍କପାଇଁ, ବ୍ରତଭଙ୍ଗକାରୀଙ୍କ ପାଇଁ, ଶଠମାନଙ୍କ ପାଇଁ ପ୍ରାୟଶ୍ଚିତ ବିଧାନ କହିଅଛନ୍ତି; କିନ୍ତୁ କୃତଘ୍ନଙ୍କପାଇଁ କିଛି ପ୍ରାୟଶ୍ଚିତ କହିନାହାନ୍ତି । ।୧୧।

 

ତେଣୁ ତୁମେ ଆଜି ପ୍ରତ୍ୟୁପକାର ସ୍ୱରୂପ ଦିଅରଙ୍କୁ ଆମ ଘରକୁ ଆଣ । ନ ହେଲେ, ତୁମ ସଙ୍ଗେ ମୋର (ଏ ସଂସାରରେ ଦେଖା ହେବ ନାହିଁ) ପରଲୋକରେ ସାକ୍ଷାତ ହେବ ।’

 

ସେ ଏପରି କହିବାରୁ ତୁମ ପାଖକୁ ମୁଁ ଆସିଛି । ଆଜି ତୁମ ବିଷୟରେ ତାହା ସଙ୍ଗେ ଏହିପରି କଳି ହେବାରୁ ମୋର ଏତେ ବିଳମ୍ବ ହୋଇଗଲା । ତୁମେ ଆମ ଘରକୁ ଆସ । ତୁମ ଭାଉଜ ତୁମକୁ ଅଗଣାରେ ଚିତା ପକାଇ, ଉତ୍ତମ ବସ୍ତ୍ର ଓ ମଣିମାଣିକ୍ୟ ପ୍ରଭୃତି ଅଳଙ୍କାର ପିନ୍ଧି ଦୁଆରମୁହଁରେ ଫୁଲମାଳ ବାନ୍ଧି ଉତ୍କଣ୍ଠିତ ହୋଇ ତୁମକୁ ଚାହିଁ ବସିଛି ।’’ ମର୍କଟ କହିଲା, ‘‘ହେ ମିତ୍ର-! ଭାଉଜ ଯାହା କହିଛନ୍ତି ତାହା ଠିକ୍‌ । କଥିତ ଅଛି–

 

ଲୋଭାସକ୍ତ ମନୁଷ୍ୟ ମିତ୍ର ଧନାଦି ନିଜ ଆଡ଼କୁ ଟାଣି ଆଣିଥାଏ । ବୁଦ୍ଧିମାନ୍‌ ଲୋକ ତନ୍ତୁବାୟ ପରି ଏଭଳି ମିତ୍ରକୁ ତ୍ୟାଗ କରିବା ଉଚିତ । (ତନ୍ତୀ ସୂତାକୁ ନିଜ ଆଡ଼କୁ ଟାଣି ଆଣିଥାଏ-।) ।୧୨। ପୁଣି–

 

ମିତ୍ରକୁ ଦେବା ଓ ମିତ୍ରଠାରୁ ଆଣିବା, ମିତ୍ରକୁ ଗୁପ୍ତ କଥା କହିବା ଓ ମିତ୍ରଠାରୁ ଗୁପ୍ତ କଥା ଶୁଣିବା, ଏବଂ ମିତ୍ରକୁ ଖାଇବାକୁ ଦେବା ଓ ମିତ୍ରଠାରୁ ଖାଇବା–ଏ ଛଅଟି ହେଉଛି ପ୍ରୀତିର ଲକ୍ଷଣ ।୧୩।

 

କିନ୍ତୁ ମୁଁ ହେଉଛି ବନଚର; ତୁମର ଘର ହେଉଛି ଜଳମଧ୍ୟରେ । ମୁଁ କିପରି ତୁମ ଘରକୁ ଯାଇ ପାରିବି ? ତେଣୁ ତୁମେ ଭାଉଜଙ୍କୁ ଏଠାକୁ ନେଇ ଆସିଲେ ମୁଁ ତାଙ୍କୁ ପ୍ରଣାମ କରି ତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିବି ।’’

 

କୁମ୍ଭୀର କହିଲା, ‘‘ହେ ମିତ୍ର ! ସମୁଦ୍ର ଭିତରେ ଗୋଟିଏ ମନୋହର ତଟପ୍ରଦେଶରେ ଆମର ଘର । ତୁମେ ମୋ ପିଠି ଉପରେ ବସି ନିର୍ଭୟରେ ଅତି ସୁଖରେ ସେଠାକୁ ଚାଲିଯିବି ।’’

 

ଏହା ଶୁଣି ମର୍କଟ ଆନନ୍ଦରେ କହିଲା, ‘‘ମିତ୍ର ! ତାହା ହେଲେ ଆଉ ବିଳମ୍ବ କାହିଁକି ? ଶୀଘ୍ର ଚାଲ । ଏଇ, ମୁଁ ତୁମ ପିଠିରେ ବସିଲି ।’’

 

ତାହାହିଁ କରାଯିବା ପରେ କୁମ୍ଭୀରକୁ ଅଗାଧ ସମୁଦ୍ରରେ ଯାଉଥିବାର ଦେଖି ବାନର ଭୀତମନା ହୋଇ କହିଲା, ‘‘ଭାଇ, ଧୀରେ ଧୀରେ ଚାଲ । ପାଣିର ଲହରୀରେ ମୋର ଦେହ ଓଦା ହୋଇଯାଉଅଛି ।’’

 

ଏହା ଶୁଣି କୁମ୍ଭୀର ଚିନ୍ତାକଲା–ଏ ମର୍କଟ ଅଗାଧ ଜଳରେ ପହଞ୍ଚିଥିବାରୁ ଏବେ ମୋର ଆୟତ୍ତ ହେଲାଣି । ମୋ ପିଠିଉପରେ ଥିବାଯୋଗୁ ତିଳେମାତ୍ର କୁଆଡ଼େ ଯାଇପାରିବ ନାହିଁ । ତାକୁ ମୋର ଉଦ୍ଦେଶ୍ୟ କହିଦିଏ; ତାହାହେଲେ ସେ ତା’ର ଇଷ୍ଟଦେବତାଙ୍କୁ ସ୍ମରଣ କରିବି । ସେ ପ୍ରକାଶ୍ୟରେ କହିଲା, ‘‘ମିତ୍ର ! ମୁଁ ଭାର୍ଯ୍ୟାର କଥା ଅନୁସାରେ ବିଶ୍ୱାସ ଜନ୍ମାଇ ତୁମକୁ ମାରିବାକୁ ନେଇଯାଉଛି ।’’

 

ମର୍କଟ କହିଲା, ‘‘ଭାଇ, ମୁଁ ତୁମର କି ହାନି କରିଛି ଯେ ତୁମେ ମୋତେ ମାରିବାକୁ ମନ କଲ ?’’

 

କୁମ୍ଭୀର କହିଲା, ‘‘ଅମୃତମୟ ଫଳରସ ଖାଇବା ହେତୁ ତୁମର ମଧୁର କଲିଜାଟି ଖାଇବାକୁ ତା’ର (ଦୋହଦ) ଗର୍ଭକାଳୀନ ଭୋଜନେଚ୍ଛା ଜନ୍ମିଛି । ସେଥିପାଇଁ ଏହା କଲି ।’’

 

ପ୍ରତ୍ୟୁତ୍ପନ୍ନମତି (ଉପସ୍ଥିତବୁଦ୍ଧିସମ୍ପନ୍ନ) ବାନର କହିଲା, ‘‘ମିତ୍ର ! ଯେବେ ଏପରି କଥା, ତାହାହେଲେ ମୋତେ ସେହିଠାରେ କହିଲ ନାହିଁ କାହିଁକି ? ମୁଁ ସବୁବେଳେ ମୋର କଲିଜାଟି ଜାମୁଗଛର କୋରଡ଼ରେ ଲୁଚାଇ ରଖିଥାଏ । ତାକୁ ଆଣିଥିଲେ ଭାଉଜଙ୍କୁ ଦେଇଥାନ୍ତି । ମୁଁ ବର୍ତ୍ତମାନ କଲିଜାଶୂନ୍ୟ । ମୋତେ ଆଣିଲ କାହିଁକି ?’’

 

ଏହା ଶୁଣି କୁମ୍ଭୀର ଆନନ୍ଦିତ ହୋଇ କହିଲା, ‘‘ମିତ୍ର ! ଯେବେ ଏପରି କଥା, ତେବେ କଲିଜାଟି ଆଣି ଦିଅ । ତାହାହେଲେ ମୋର ଦୁଷ୍ଟା ଭାର୍ଯ୍ୟା ତାହାକୁ ଖାଇ ଅନଶନ ଭଙ୍ଗକରିବ । ମୁଁ ତୁମକୁ ଜାମୁଗଛ ପାଖେ ପହଞ୍ଚାଇ ଦେଉଛି ।’’ ଏହା କହି କୁମ୍ଭୀର ଫେରିଯାଇ ସେହି ଜାମୁଗଛ ନିକଟରେ ପହଞ୍ଚିଲା । ବାନର ମଧ୍ୟ ବିବିଧ ଦ୍ରବ୍ୟରେ ଇଷ୍ଟଦେବତାଙ୍କୁ ପୂଜା ଦେବାର ସଂକଳ୍ପ କରି କରି କୌଣସିମତେ ସେହି ସମୁଦ୍ରତଟରେ ପହଞ୍ଚିଲା । ତହୁଁ ସେ ଏକ ଦୀର୍ଘ ଲମ୍ଫରେ ଜାମୁଗଛ ଉପରକୁ ଉଠିଯାଇ ଚିନ୍ତାକଲା, ‘‘ଓଃ, ଜୀବନ ରହିଗଲା ! ଅଥବା ଯଥାର୍ଥରେ କୁହାଯାଇଅଛି–

 

ଅବିଶ୍ୱସ୍ତ ମନୁଷ୍ୟକୁ ବିଶ୍ୱାସ କରିବା ଉଚିତ ନୁହେଁ; ବିଶ୍ୱସ୍ତ ମନୁଷ୍ୟଠାରେ ମଧ୍ୟ ଅତ୍ୟଧିକ ବିଶ୍ୱାସ ସ୍ଥାପନ କରିବା ଉଚିତ ନୁହେଁ । ବିଶ୍ୱାସଜନିତ ଭୟ ସମୂଳେ ବିନାଶସାଧନ କରିଥାଏ ।୧୪।

 

ଆଜି ମୋର ଏହି ପୁନର୍ଜନ୍ମ ହେଲା । ବାନର ଏହିପରି ଚିନ୍ତା କରୁଥିବାବେଳେ କୁମ୍ଭୀର ତାକୁ କହିଲା, ‘‘ହେ ମିତ୍ର ! ତୁମ କଲିଜାଟି ଆଣିଦିଅ ଯେ ତାକୁ ଖାଇ ତୁମ ଭାଉଜ ଅନଶନ ଭଙ୍ଗ କରିବ ।’’ ବାନର ହସି ହସି କୁମ୍ଭୀରକୁ ଭର୍ତ୍ସନା କରି କହିଲା, ‘‘ଆରେ ମୂର୍ଖ, ବିଶ୍ୱାସଘାତକ ! ତୋତେ ଧିକ୍‌ ! କାହାର କଅଣ ଦୁଇଟା କଲିଜା ଥାଏ ? ଶୀଘ୍ର ଏ ଜାମୁଗଛର ତଳୁ ପଳାଇଯାଅ । ଆଉ କେବେ ଏଠାକୁ ଆସିବୁ ନାହିଁ । କାରଣ, କଥିତ ଅଛି–

 

ଯେଉଁ ଲୋକ ଥରେ ଦୁଷ୍ଟତ ପ୍ରକାଶ କରିଥିବା ମିତ୍ର ସହିତ ପୁଣି ମିଳିବାକୁ ଇଚ୍ଛା କରେ, ସେ ଖଚରୀ ଗର୍ଭ ଧାରଣ କରି ମୃତ୍ୟୁମୁଖରେ ପଡ଼ିଲା ପରି ମୃତ୍ୟୁ ଲାଭ କରେ ।’’ ।୧୫।

 

ଏହା ଶୁଣି କୁମ୍ଭୀର ବିସ୍ମିତ ମନରେ ଚିନ୍ତା କଲା — ଓଃ, ମୁଁ ମୂର୍ଖ କାହିଁକି ତାକୁ ମୋ ମନକଥା ଜଣାଇଦେଲି । ଯେପରି ସେ ପୁଣି ମୋତେ କୌଣସିମତେ ବିଶ୍ୱାସ କରିବ, ସେହିପରି ବିଶ୍ୱାସ ଜନ୍ମାଏଁ । ସେ କହିଲା, ‘‘ମିତ୍ର ! ମୁଁ ପରିହାସରେ ତୁମ ମନକଥା ବୁଝୁଥିଲି । ତୁମ କଲିଜାରେ ମୋ ଭାର୍ଯ୍ୟାର କିଛି ଆବଶ୍ୟକ ନାହିଁ । ତେଣୁ ବୁଲିଗଲା ପରି ଆମ ଘରକୁ ଆସ । ତୁମ ଭାଉଜ ଉତ୍କଣ୍ଠିତା ହୋଇ ତୁମକୁ ଚାହିଁ ବସିଛି ।’’

 

ବାନର କହିଲା, ‘‘ଆରେ ଦୁଷ୍ଟ ! ଚାଲିଯାଆ । ଏବେ ମୁଁ ଆଉ ଯିବି ନାହିଁ । କଥିତ ଅଛି–

 

ବୁଭୁକ୍ଷିତଃ କିଂ ନ କରୋତି ପାପଂ

କ୍ଷୀଣା ଜନା ନିଷ୍କରୁଣା ଭବନ୍ତି ।

ଆଖ୍ୟାହି ଭଦ୍ରେ ! ପ୍ରିୟଦର୍ଶନାୟ

ନ ଗଙ୍ଗଦତ୍ତଃ ପୁନରେତି କୂପମ୍‌ ।୧୬।

 

କ୍ଷୁଧାତୁର ମନୁଷ୍ୟ କେଉଁ ପାପ କରିନପାରେ ? ଦରିଦ୍ର ଲୋକେ ନିର୍ଦ୍ଦୟ ହୁଅନ୍ତି । ହେ ଭଦ୍ରେ ! ପ୍ରିୟଦର୍ଶନକୁ କହିଦେବ ଯେ ଗଙ୍ଗଦତ୍ତ ଆଉ କୂପଭିତରେ ପ୍ରବେଶ କରିବ ନାହିଁ ।’’

 

କୁମ୍ଭୀର ପଚାରିଲା, ‘‘ସେ କଥା କଅଣ ?’’

 

ବାନର କହିଲା–

 

କଥା-୨

 

କୌଣସି କୂପ ମଧ୍ୟରେ ଗଙ୍ଗଦତ୍ତ ନାମରେ ମଣ୍ଡୂକରାଜ ବାସ କରୁଥିଲା । ଏକ ସମୟରେ ସେ ନିଜର (ଦାୟାଦ) ବନ୍ଧୁବାନ୍ଧବମାନଙ୍କ ଦ୍ୱାରା ଉତ୍ପୀଡ଼ିତ ହୋଇ ଶଗଡ଼ିରେ ଲାଗିଥିବା ରଜ୍ଜୁ ସାହାଯ୍ୟରେ କୂପରୁ ବାହାରକୁ ଚାଲି ଆସିଲା ।

 

ସେ ଚିନ୍ତା କଲା, କେଉଁ ଉପାୟରେ ମୋର ଏହି ବନ୍ଧୁବାନ୍ଧବମାନଙ୍କର ଅନିଷ୍ଟ ସାଧନ କରିପାରିବି । କଥିତ ଅଛି–

 

ବିପଦବେଳେ ଯିଏ ଅପକାର କରିଥାଏ ଓ ଦୁରବସ୍ଥା ଉପସ୍ଥିତ ହେଲାବେଳେ ଯିଏ ଉପହାସ କରିଥାଏ, ଏ ଦୁହିଁଙ୍କର ଅପକାର ସାଧନ କରିପାରିଲେ ମନୁଷ୍ୟ ପୁନର୍ଜନ୍ମ ପାଇଲା ବୋଲି ମନେ କରେ ।୧୭।

 

ଏହିପରି ଚିନ୍ତା କରୁ କରୁ ସେ ଦେଖିଲା ଯେ ଗୋଟିଏ କୃଷ୍ଣ ସର୍ପ ଗର୍ତ୍ତ ମଧ୍ୟରେ ପ୍ରବେଶ କରୁଅଛି । ତାହାକୁ ଦେଖି ଗଙ୍ଗଦତ୍ତ ପୁଣି ଭାବିଲା, ‘‘ଏହାକୁ ସେ କୂପଭିତରକୁ ନେଇ ସମସ୍ତ ବନ୍ଧୁବାନ୍ଧବଙ୍କୁ ବିନାଶ କରାଇବି । କଥିତ ଅଛି–

 

ନିଜର କାର୍ଯ୍ୟ ସିଦ୍ଧିପାଇଁ ଶତ୍ରୁକୁ ଶତ୍ରୁ ସହିତ ଓ ବଳବାନ୍‌ ଲୋକକୁ ତାହାଠାରୁ ବଳବାନ୍‌ ଲୋକ ସହିତ ଲଗାଇଦେବା ଉଚିତ । କାରଣ; ସେ ଦୁହିଁଙ୍କର ବିନାଶ ହେଲେ କୌଣସି ଦୁଃଖ ହୁଏନାହିଁ ।୧୮। ପୁଣି–

 

ନୀତିଜ୍ଞ ପୁରୁଷ ନିଜର ସୁଖ ନିମନ୍ତେ ସଂସାରର ଯନ୍ତ୍ରଣାଦାୟକ କଣ୍ଟାକୁ ଅନ୍ୟ କଣ୍ଟାଦ୍ୱାରା ବାହାର କଲା ପରି ବଳବାନ୍‌ ଶତ୍ରୁକୁ ବଳବାନ୍‌ ଶତ୍ରୁଦ୍ୱାରା ସମୂଳେ ବିନାଶ କରିଥାଏ ।୧୯।

 

ଏହିପରି ବିଚାର କରି ଗଙ୍ଗଦତ୍ତ ସର୍ପର ବିଳଦ୍ୱାରକୁ ଯାଇ ତାକୁ ଡାକି କହିଲା, ‘‘ହେ ପ୍ରିୟଦର୍ଶନ, ଆସ, ଆସ ।’’ ଏହା ଶୁଣି ସର୍ପ ମନେ ମନେ ଭାବିଲା–‘ଯିଏ ମୋତେ ଏପରି ଡାକୁଛି, ସେ ଆମ ଜାତୀୟ ନୁହେଁ; କାରଣ ଏହା ସର୍ପର ସ୍ୱର ନୁହେଁ । ଏ ମର୍ତ୍ତ୍ୟ ସଂସାରରେ ମୋର ଅନ୍ୟ କାହାରି ସଙ୍ଗେ ସମ୍ବନ୍ଧ ନାହିଁ । ତେଣୁ ଏହି ବିଳଦୁର୍ଗ ମଧ୍ୟରେ ରହି ସେ କିଏ ଜାଣିନିଏ । କଥିତ ଅଛି–

 

ବୃହସ୍ପତି କହିଅଛନ୍ତି ଯେ ଯେଉଁ ଲୋକର ସ୍ୱଭାବ, କୁଳ ଓ ବାସସ୍ଥାନ ଜଣା ନ ଥିବ, ତାହା ସଙ୍ଗେ ସଙ୍ଗତି କରିବା ଉଚିତ ନୁହେଁ ।୨୦।

 

ହୁଏତ କେହି ମନ୍ତ୍ରଜ୍ଞ ବା ବାଦ୍ୟକାର ବା ଭିଷକ୍‌ ମୋତେ ଡାକିନେଇ ବନ୍ଧନରେ ପକାଇଦେବ, ଅଥବା କେହି ଶତ୍ରୁତା କରି କାହାରି ଭୋଜନ ନିମନ୍ତେ ମୋତେ ଡାକୁଥିବ । –ସେ (ପ୍ରିୟଦର୍ଶନ) କହିଲା, ‘‘ତୁମେ କିଏ ?’’ମଣ୍ଡୂକରାଜ କହିଲା, ‘‘ମୁଁ ଗଙ୍ଗଦତ୍ତ ନାମକ ମଣ୍ଡୂକରାଜ । ମୈତ୍ରୀ ସ୍ଥାପନ କରିବାପାଇଁ ମୁଁ ତୁମ ନିକଟକୁ ଆସିଅଛି ।’’ ଏହା ଶୁଣି ସର୍ପ କହିଲା, ‘‘ତୃଣ ସହିତ ଅଗ୍ନିର ମିଳନ–ଏ ତ ବିଶ୍ୱାସ କରିବାର କଥା ନୁହେଁ । କଥିତ ଅଛି–

 

ଯିଏ ଯାହାର ବଧ୍ୟ, ସେ ସ୍ୱପ୍ନରେ ସୁଦ୍ଧା କେବେହେଲେ ତାହା ପାଖକୁ ଯାଏ ନାହିଁ; ତେବେ ତୁମେ ଏପରି କହୁଛ କିପରି ?’’ ।୨୧।

 

ଗଙ୍ଗଦତ୍ତ କହିଲା, ‘‘ହେ ପ୍ରିୟଦର୍ଶନ ! ତୁମେ ଯାହା କହିଲ, ଏ କଥା ସତ ଯେ ତୁମେ ସ୍ୱଭାବତଃ ଆମର ଶତ୍ରୁ । କିନ୍ତୁ ଅନ୍ୟମାନଙ୍କଠାରୁ ଅପମାନ ପାଇ ମୁଁ ତୁମ ପାଖକୁ ଆସିଅଛି । କଥିତ ଅଛି–

 

ଯେତେବେଳେ ସର୍ବନାଶ ଉପସ୍ଥିତ ହୁଏ, ଏପରିକି ପ୍ରାଣସଂଶୟ ଉପସ୍ଥିତ ହୁଏ; ସେତେବେଳେ ଶତ୍ରୁକୁ ସୁଦ୍ଧା ପ୍ରଣାମ କରି ପ୍ରାଣ ଓ ଧନ ପ୍ରଭୃତି ରକ୍ଷା କରିବା ଉଚିତ ।’’ ।୨୨।

 

ସର୍ପ କହିଲା, ‘‘ତୁମେ କାହାଠାରୁ ଅପମାନ ପାଇଅଛ କହ ।’’ ଗଙ୍ଗଦତ୍ତ କହିଲା, ‘‘ମୋର ବନ୍ଧୁବାନ୍ଧବଙ୍କଠାରୁ ।’’ ସର୍ପ କହିଲା, ‘‘ତୁମର ବାସସ୍ଥାନ କେଉଁଠାରେ ? ବାମ୍ଫୀରେ, କି କୂପରେ, ଛୋଟ ପୋଖରୀରେ ଅଥବା ବୃହତ୍‌ ସରୋବରରେ । ତୁମର ବାସସ୍ଥାନ କେଉଁଠି, କହ ।’’ ଗଙ୍ଗଦତ୍ତ କହିଲା, ‘‘ପ୍ରସ୍ତରନିର୍ମିତ କୂପମଧ୍ୟରେ ।’’ ସର୍ପ କହିଲା, ‘‘ଦୁଃଖର କଥା, ମୋର ପାଦ ନାହିଁ-। ତେଣୁ ସେଠାରେ ମୋର ପ୍ରବେଶ ଅସମ୍ଭବ । ଯଦି ବା କୌଣସିମତେ ପ୍ରବେଶ କରେ, ତେବେ ସେଠାରେ ମୋର ବାସଯୋଗ୍ୟ ସ୍ଥାନ ନ ଥିବ, ଯେଉଁଠାରେ ରହି ମୁଁ ତୁମ ବନ୍ଧୁବାନ୍ଧବମାନଙ୍କୁ ବଧ କରିପାରିବି । ତେଣୁ ତୁମେ ଯାଅ । କଥିତ ଅଛି–

 

ଯେଉଁ ଖାଦ୍ୟବସ୍ତୁକୁ ଖିଆଯାଇପାରେ, ଖାଇବା ପରେ ଉତ୍ତମରୂପେ ପରିପାକ ହୁଏ, ପରିପାକ ପରେ ହିତକର ହୁଏ, ଆପଣାର ଶୁଭାକାଙ୍‌କ୍ଷୀ ଲୋକ ତାହାହିଁ ଖାଇବା ଉଚିତ ।’’ ।୨୩।

 

ଗଙ୍ଗଦତ୍ତ କହିଲା, ‘‘ମୋ ସଙ୍ଗରେ ତୁମେ ଆସ । ମୁଁ ସୁନ୍ଦର ଉପାୟରେ ତୁମକୁ ସେଥିରେ ପ୍ରବେଶ କରାଇଦେବି, ଆହୁରି ମଧ୍ୟ କୂପମଧ୍ୟରେ ଜଳର ନିକଟରେ ଗୋଟିଏ ସୁନ୍ଦର କୋଟର ଅଛି । ସେହିଠାରେ ରହି ତୁମେ ଅତି ସହଜରେ ମୋର ବନ୍ଧୁବାନ୍ଧବମାନଙ୍କୁ ବିନାଶ କରିପାରିବ ।’’

 

ଏହା ଶୁଣି ସର୍ପ ମନେ ମନେ ଭାବିଲା–‘ମୁଁ ବୃଦ୍ଧ ହୋଇଗଲିଣି । କେବେ କେବେ ବହୁ କଷ୍ଟରେ ଗୋଟାଏ ଅବା ମୂଷା ମିଳୁଛି । ଏ କୁଳାଙ୍ଗାର ମୋତେ ବେଶ୍‌ ଗୋଟିଏ ସୁଖର ଜୀବିକା ନିର୍ବାହର ଉପାୟ ଦେଖାଇଲାଣି । ଅଥବା ଯଥାର୍ଥରେ କଥିତ ଅଛି–

 

ଯେଉଁ ଲୋକ ଶକ୍ତିହୀନ ହୋଇଯାଇଥାଏ ଓ ଯାହାର କେହି ସହାୟ ନ ଥାନ୍ତି, ସେ ବୁଦ୍ଧିମାନ୍‌ ହୋଇଥିଲେ, ସହଜସାଧ୍ୟ କୌଣସି ଜୀବିକାକୁ ଅବଲମ୍ବନ କରିବା ଉଚିତ ।୨୪।

 

ଏହିପରି ଚିନ୍ତା କରି ସେ କହିଲା, ‘‘ହେ ଗଙ୍ଗଦତ୍ତ । ଯଦି ଏପରି କଥା, ତେବେ ତୁମେ ଆଗେ ଆଗେ ଚାଲ ଯେ ସେଠାରେ ପହଞ୍ଚିଯିବା ।’’ ଗଙ୍ଗଦତ୍ତ କହିଲା, ‘‘ହେ ପ୍ରିୟଦର୍ଶନ, ମୁଁ ତୁମକୁ ଖୁବ୍‌ ସୁବିଧା ଉପାୟରେ ସେଠାକୁ ନେଇଯିବି, ସ୍ଥାନଟି ମଧ୍ୟ ଦେଖାଇଦେବି । କିନ୍ତୁ ତୁମେ ମୋର ପରିଜନମାନଙ୍କୁ ଛାଡ଼ିଦେବ (ଖାଇବା ନାହିଁ); ମୁଁ ଯେଉଁମାନଙ୍କୁ ଦେଖାଇଦେବି କେବଳ ସେଇମାନଙ୍କୁ ତୁମେ ଖାଇବ ।’’ ତହୁଁ ସର୍ପ କହିଲା, ‘‘ଏବେ ତୁମେ ମୋର ମିତ୍ର ହେଲଣି । ତେଣୁ ମୋତେ ଭୟ କରିବା ଅନୁଚିତ । ତୁମରି କଥା ଅନୁସାରେ କେବଳ ତୁମର ବନ୍ଧୁବାନ୍ଧବମାନଙ୍କୁ ଖାଇବି ।’’

 

ଏହା କହି ଗର୍ତ୍ତରୁ ବାହାରି ସର୍ପ ଗଙ୍ଗଦତ୍ତକୁ ଆଲିଙ୍ଗନ କଲା ଓ ତାହା ସହିତ ଯିବାକୁ ଲାଗିଲା ।

 

ଅନନ୍ତର କୂପ ନିକଟରେ ପହଞ୍ଚି ଶଗଡ଼ିର ରଜ୍ଜୁ ସାହାଯ୍ୟରେ ଗଙ୍ଗଦତ୍ତ ସର୍ପକୁ କୂପଭିତରେ ଥିବା ନିଜର ଗୃହକୁ ନେଇଗଲା । ତତ୍ପରେ ସେ ସେହି ସର୍ପକୁ ନିଜ ଘରେ ରଖାଇ ତାର ବନ୍ଧୁବାନ୍ଧବମାନଙ୍କୁ ଦେଖାଇଦେଲା । ସର୍ପ ସେମାନଙ୍କୁ ସବୁ ଆସ୍ତେ ଆସ୍ତେ ଖାଇଗଲା । ତହୁଁ ମଣ୍ଡୁକର ଅଭାବ ହେବାରୁ ସର୍ପ କହିଲା, ‘‘ମିତ୍ର, ତୁମର ଶତ୍ରୁମାନେ ଶେଷ ହୋଇଗଲେଣି । ତେଣୁ ମୋତେ ଅନ୍ୟ କିଛି ଭୋଜନ ଦିଅ । କାରଣ, ତୁମେ ମୋତେ ଏଠାକୁ ଆଣିଅଛ ।’’ ଗଙ୍ଗଦତ୍ତ କହିଲା, ‘‘ଭଦ୍ର ! ତୁମେ ବନ୍ଧୁର କାର୍ଯ୍ୟ କରି ସାରିଛ । ତେଣୁ ଏବେ ସେହି ଶଗଡ଼ିର ରଜ୍ଜୁ ସାହାଯ୍ୟରେ ବାହାରିଯାଅ ।’’ ସର୍ପ କହିଲା, ‘‘ହେ ଗଙ୍ଗଦତ୍ତ ! ତୁମେ ଯେଉଁ କଥା କହୁଛ, ତାହା ଠିକ୍‌ ନୁହେଁ । ମୁଁ କାହିଁକି ବାହାରକୁ ଯିବି ? ମୋର ବିଳଦୁର୍ଗକୁ ଅନ୍ୟ କେହି ଅଧିକାର କରିସାରିଥିବ-। ତେଣୁ ମୁଁ ଏହିଠାରେ ରହିବି ଓ ତୁମେ ନିଜ କୁଟୁମ୍ବରୁ ଗୋଟିଏ ଗୋଟିଏ ମଣ୍ଡୂକ ମୋତେ ଦେଉଥିବ । ନଚେତ୍‌ ସମସ୍ତଙ୍କୁ ଖାଇବି ।’’

 

ତାହା ଶୁଣି ଗଙ୍ଗଦତ୍ତ ବ୍ୟାକୁଳ ମନରେ ଚିନ୍ତା କଲା–ଅହୋ, ସର୍ପଟିକୁ ଆଣି ମୁଁ କଅଣ କଲି ! ଯଦି ଗୋଟିଏ ଗୋଟିଏ ଦେବାକୁ ମନା କରିଦିଏ ତେବେ ସେ ସମସ୍ତଙ୍କୁ ଖାଇଦେବ । ଅଥବା ଯଥାର୍ଥରେ କୁହାଯାଇଅଛି–

 

ଯେଉଁ ଲୋକ ନିଜଠାରୁ ଅଧିକ ବଳଶାଳୀ ଶତ୍ରୁକୁ ମିତ୍ରକରେ ସେ ଯେ ନିଜ ହାତରେ ବିଷ ଖାଏ, ଏଥିରେ ସନ୍ଦେହ ନାହିଁ ।୨୫।

 

ତେଣୁ ଏହାକୁ ପ୍ରତିଦିନ କୁଟୁମ୍ବ ମଧ୍ୟରୁ ଗୋଟିଏ ଲେଖାଏଁ ଖାଇବାକୁ ଦେବି । କଥିତ ଅଛି–

 

ଯେପରି ସମୁଦ୍ର ବଡ଼ବାନଳକୁ ଅଳ୍ପ ଜଳ ଦାନ କରି ନିଜକୁ ରକ୍ଷା କରିଥାଏ, ବୁଦ୍ଧିମାନ୍‌ ଲୋକ ସେହିପରି ସର୍ବସ୍ୱ ହରଣରେ ତତ୍ପର ଶତ୍ରୁକୁ ସାମାନ୍ୟ କିଛି ଦେଇ ସନ୍ତୁଷ୍ଟ କରିଥାଏ ।୨୬। ଆହୁରି ମଧ୍ୟ–

 

ବଳବାନ୍‌ ଲୋକ ଶାନ୍ତିପୂର୍ବକ ମାଗିଲାବେଳେ ଯେଉଁ ଦୁର୍ବଳ ଲୋକ ଅଟାର କଣିକାଟିଏ ସୁଦ୍ଧା ଦେଇନଥାଏ, ସେହି ଲୋକ ପୁଣି ଜବରଦସ୍ତି କଲାବେଳେ ଦଶସେର ଅଟା ଦେଇଥାଏ ।୨୭। ପୁଣି–

 

ସର୍ବନାଶ ଉପସ୍ଥିତ ହେଲେ ବୁଦ୍ଧିମାନ୍‌ ଲୋକ ସେଥିରୁ ଅଧେ ଛାଡ଼ିଦିଏ ଓ ଅନ୍ୟ ଅଧକରେ ନିଜର କାମ ଚଳାଏ; କାରଣ ସର୍ବନାଶ ଅସହ୍ୟ ହୋଇଥାଏ ।୨୮।

 

ବୁଦ୍ଧିମାନ୍‌ ଲୋକର କର୍ତ୍ତବ୍ୟ ହେଉଛି, ସେ ଅଳ୍ପ ନିମନ୍ତେ ବେଶି ନାଶ କରିବ ନାହିଁ । ଅଳ୍ପ ଦେଇ ଅଧିକ ରକ୍ଷା କରିବା ହେଉଛି ପାଣ୍ଡିତ୍ୟର ପରିଚାୟକ ।୨୯।

 

ଏହିପରି ସ୍ଥିର କରି ଗଙ୍ଗଦତ୍ତ ପ୍ରତିଦିନ ସ୍ୱଜନ ମଧ୍ୟରୁ ଗୋଟିଏ ଗୋଟିଏ ସର୍ପକୁ ଖାଇବାକୁ ଦେଲା । ସେଇଟିକୁ ଖାଇସାରି ସେ ଗଙ୍ଗଦତ୍ତର ପରୋକ୍ଷରେ ଅନ୍ୟାନ୍ୟମାନଙ୍କୁ ମଧ୍ୟ ଖାଉଥିଲା । ଅଥବା ଯଥାର୍ଥରେ କୁହାଯାଇଛି–

 

ମଳିନବସ୍ତ୍ର ପିନ୍ଧିଥିଲେ ମନୁଷ୍ୟ ଯେ କୌଣସି ସ୍ଥାନରେ ବସିଯାଇପାରେ । ସେହିପରି ଆଚାର (ବିତ୍ତ) ଭ୍ରଷ୍ଟ ପୁରୁଷ ନିଜର ଅବଶିଷ୍ଟ ଚରିତ୍ରକୁ (ବିତ୍ତକୁ) ମଧ୍ୟ ରକ୍ଷାକରିପାରେ ନାହିଁ । (ଅର୍ଥାତ୍‌ ଯିଏ ଗୋଟିଏ ଅନ୍ୟାୟ କାର୍ଯ୍ୟ କରେ, ସେ ଅନ୍ୟ ଯେକୌଣସି ଅନ୍ୟାୟ କାର୍ଯ୍ୟ କରିବାକୁ କୁଣ୍ଠିତ ହୁଏନାହିଁ ।) ।୩୦।

 

ଅନନ୍ତର ଆଉ ଦିନେ ଅନ୍ୟାନ୍ୟ ମଣ୍ଡୁକମାନଙ୍କୁ ଖାଇସାରିବାପରେ ସେ ଗଙ୍ଗଦତ୍ତର ପୁଅ ଯମୁନାଦତ୍ତକୁ ମଧ୍ୟ ଖାଇଦେଲା । ସାପ ପୁଅକୁ ଖାଇଥିବାର ଜାଣିପାରି ଗଙ୍ଗଦତ୍ତ ଉଚ୍ଚ ସ୍ୱରରେ ନିଜକୁ ଧିକ୍‌କାର ପୂର୍ବକ ବିଳାପ କରିବାକୁ ଲାଗିଲା; କୌଣସିମତେ ସେଥିରୁ ବିରତ ହେଲା ନାହିଁ । ତହୁଁ ତାହାର ପତ୍ନୀ ତାକୁ କହିଲା–
 

‘‘ହେ ବୃଥାକ୍ରନ୍ଦନକାରି ! ହେ ସ୍ୱପକ୍ଷବିନାଶକାରି ! ଏବେ କାନ୍ଦୁଛ କାହିଁକି ? ନିଜ ପକ୍ଷର ବିନାଶ ହେଲା ପରେ କିଏ ଆମକୁ ରକ୍ଷା କରିବ ? ୩୧।

 

ତେଣୁ ଏବେ ମଧ୍ୟ ନିଜେ କିପରି ପଳାଇବ ଓ ଏହି ସର୍ପକୁ ବଧ କରିବ ତାହାର ଉପାୟ ଚିନ୍ତା କର ।’’

 

ସମୟକ୍ରମେ ସେ ସମସ୍ତ ମଣ୍ଡୂକବଂଶକୁ ଖାଇଦେଲା; ଏକମାତ୍ର ଗଙ୍ଗଦତ୍ତ ରହିଲା । ତହୁଁ ପ୍ରିୟଦର୍ଶନ ତାକୁ କହିଲା, ‘‘ହେ ଗଙ୍ଗଦତ୍ତ, ମୁଁ କ୍ଷୁଧାର୍ତ୍ତ । ସକଳ ମଣ୍ଡୂକ ଶେଷ ହୋଇଗଲେଣି । ମୋତେ କିଛି ଭୋଜନ ଦିଅ; କାରଣ ତୁମେ ହିଁ ମୋତେ ଏଠାକୁ ଆଣିଛ ।’’ ଗଙ୍ଗଦତ୍ତ କହିଲା, ‘‘ହେ ମିତ୍ର ! ମୁଁ ଥିବା ପର୍ଯ୍ୟନ୍ତ ତୁମେ ସେ ବିଷୟରେ ଚିନ୍ତା କରିବା ଦରକାର ନାହିଁ । ତେଣୁ ତୁମେ ମୋତେ ପଠାଇଲେ ମୁଁ ଯାଇ ଅନ୍ୟ କୂପରେ ଥିବା ମଣ୍ଡୂକମାନଙ୍କର ବିଶ୍ୱାସ ଜନ୍ମାଇ ସେମାନଙ୍କୁ ଏଠାକୁ ନେଇ ଆସିବି ।’’ ସର୍ପ କହିଲା, ‘‘ତୁମେ ମୋର ପିତୃସ୍ଥାନୀୟ; ତେଣୁ ମୋର ଅଭକ୍ଷ୍ୟ । ଯଦି ଏତକ କରିବ (ଅନ୍ୟ କୂପରୁ ମଣ୍ଡୂକ ଆଣି ଖାଇବାକୁ ଦେବ) ତେବେ ତୁମେ ମୋର ପିତୃସ୍ଥାନୀୟ ହେବ । ତାହାହିଁ କର ।’’

 

ତାହା ଶୁଣି ଗଙ୍ଗଦତ୍ତ ଶଗଡ଼ିର ରଜ୍ଜୁକୁ ଆଶ୍ରୟ କରି, ବିବିଧ ଦେବତାଙ୍କୁ ମନେ ମନେ ପୂଜା ମନାସି ସେହି କୂପରୁ ବାହାରି ଆସିଲା । ପ୍ରିୟଦର୍ଶନ ମଧ୍ୟ ଅନ୍ୟ କୂପର ମଣ୍ଡୂକ ଖାଇବା ଆଶାରେ ସେହି ସ୍ଥାନରେ ଗଙ୍ଗଦତ୍ତକୁ ଅପେକ୍ଷା କରି ରହିଲା । ଅନନ୍ତର ବହୁକାଳ ପରେ ମଧ୍ୟ ଗଙ୍ଗଦତ୍ତ ନ ଆସିବାରୁ ପ୍ରିୟଦର୍ଶନ ଅନ୍ୟ କୋଟରରେ ବାସ କରୁଥିବା ଗୋଟିଏ ଗୋଧିକୁ କହିଲା, ‘‘ଭଦ୍ରେ ! ମୋତେ ସାମାନ୍ୟ ସାହାଯ୍ୟ କର । ତୁମେ ବହୁଦିନରୁ ଗଙ୍ଗଦତ୍ତ ସହିତ ପରିଚିତ । ତାହା ନିକଟକୁ ଯାଇ କୌଣସି ଜଳାଶୟରେ ତାକୁ ଅନ୍ୱେଷଣ କରି ମୋର ଏହି ସମ୍ବାଦଟି କହିବ, ଯଦି ଅନ୍ୟ ମଣ୍ଡୂକ ନ ଆସନ୍ତି, ତେବେ ତୁମେ ଏକାକୀ ଶୀଘ୍ର ଚାଲିଆସ । ତୁମ ବିନା ମୁଁ ଏଠାରେ ରହିପାରୁନାହିଁ । ଆଉ ମୁଁ ଯଦି ତୁମ ବିରୁଦ୍ଧରେ କିଛି କରେ ତେବେ ମୋର ସବୁ ପୁଣ୍ୟ ନଷ୍ଟ ହୋଇଯିବ ।’’

 

ଗୋଧି ତାହାର କଥାରେ ଶୀଘ୍ର ଗଙ୍ଗଦତ୍ତର ଅନ୍ୱେଷଣ କରି ତାକୁ କହିଲା, ‘‘ଭଦ୍ର ଗଙ୍ଗଦତ୍ତ; ତୁମର ବନ୍ଧୁ ପ୍ରିୟଦର୍ଶନ ତୁମର ପଥ ଚାହିଁବସିଛି । ତେଣୁ ଶୀଘ୍ର ତା’ ପାଖକୁ ଯାଅ । ଆହୁରି ମଧ୍ୟ ସେ ଶପଥ କରିଛି ଯେ ତୁମର କିଛି ବିରୋଧାଚରଣ କରିବ ନାହିଁ । ତେଣୁ ନିଃଶଙ୍କ ମନରେ ଚାଲିଯାଅ ।’’

 

ଏହା ଶୁଣି ଗଙ୍ଗଦତ୍ତ କହିଲା–ବୁଭୁକ୍ଷିତଃ କିଂ ନ କରୋତି ପାପଂ.....ଇତ୍ୟାଦି ।

 

ଏହା କହି ଗଙ୍ଗଦତ୍ତ ଗୋଧିକୁ ବିଦାୟ ଦେଲା ।

 

ତେଣୁ ହେ ଦୁଷ୍ଟ ଜଳଚର, ‘‘ମୁଁ ମଧ୍ୟ ଗଙ୍ଗଦତ୍ତଭଳି କେବେହେଲେ ତୋ ଘରକୁ ଯିବି ନାହିଁ ।’’

 

ତାହା ଶୁଣି କୁମ୍ଭୀର କହିଲା, ‘‘ହେ ମିତ୍ର, ଏ କଥା ଠିକ୍‌ ନୁହେଁ । ମୋ ଘରକୁ ଯାଇ ମୋର କୃତଘ୍ନତା ଦୋଷ ଦୂର କର । ନୋହିଲେ ମୁଁ ଏହିଠାରେ ଅନଶନ କରି ପ୍ରାଣ ହରାଇଦେବି-।’’

ବାନର କହିଲା ‘‘ଆରେ ମୂର୍ଖ !ମୁଁ କଅଣ ଲମ୍ବକର୍ଣ୍ଣଭଳି ମୂର୍ଖ ଯେ ନିଜର ବିପତ୍ତି ଦେଖି ସୁଦ୍ଧା ପୁଣି ସେଠାକୁ ଯାଇ ନିଜକୁ ମାରିବି ? କଥିତ ଅଛି–

ଆଗତଶ୍ଚ ଗତଶ୍ଚୈବ ଦୃଷ୍ଟ୍ୱା ସିଂହପରାକ୍ରମଂ ।

ଅକର୍ଣ୍ଣହୃଦୟୋ ମୂର୍ଖୋ ଯୋ ଗତ୍ୱା ପୁନରାଗତଃ ।୩୩।

ସେ ମୂର୍ଖ ସିଂହପାଖକୁ ଆସିଥିଲା ଓ ସିଂହର ପରାକ୍ରମ ଦେଖି ପଳାଇଥିଲା । କିନ୍ତୁ ତା’ର କାନ ନ ଥିଲା କି ହୃଦୟ ନ ଥିଲା; ତେଣୁ ସେ ଚାଳିଯାଇ ମଧ୍ୟ ପୁଣି ଫେରିଆସି ମରିଥିଲା ।୩୩।

କୁମ୍ଭୀର କହିଲା, ‘‘ସେ ଲମ୍ବକର୍ଣ୍ଣ କିଏ ? ବିପଦ ଦେଖି ମଧ୍ୟ ସେ କିପରି ମଲା ? ସେ କଥା ମୋତେ କହ ।’’

ବାନର କହିଲା–

 

କଥା-୩

 

କୌଣସି ବନପ୍ରଦେଶରେ କରାଳକେଶରୀ ନାମରେ ଗୋଟିଏ ସିଂହ ବାସ କରୁଥିଲା । ଧୂସରକ ନାମରେ ଗୋଟିଏ ଶୃଗାଳ ସର୍ବଦା ତାହାର ଅନୁସରଣ କରି ସେବକରୂପେ ରହିଥିଲା । ଏକ ସମୟରେ ଗୋଟିଏ ହସ୍ତୀ ସହିତ ଯୁଦ୍ଧ କରୁ କରୁ ସିଂହର ଶରୀରରେ ଗୁରୁତର ଆଘାତ ଲାଗିଲା । ସେଥିଯୋଗୁ ସେ ପାଦେ ସୁଦ୍ଧା ଚଳିପାରିଲା ନାହିଁ । ତାହାର ବଳହୀନତା ହେତୁରୁ ଧୂସରକ କ୍ଷୁଧାରେ ଶୁଷ୍କକଣ୍ଠ ହୋଇ ନିତାନ୍ତ ଦୁର୍ବଳ ହୋଇପଡ଼ିଲା । ଦିନେ ସେ ସିଂହକୁ କହିଲା, ‘‘ପ୍ରଭୁ ! ମୁଁ କ୍ଷୁଧାରେ କାତର । ପାଦେ ସୁଦ୍ଧା ଯାଇ ପାରୁନାହିଁ । ତେଣୁ ମୁଁ କିପରି ଆପଣଙ୍କର ସେବା କରିପାରିବି ?’’ ସିଂହ କହିଲା, ‘‘ତୁମେ ଯାଅ; କୌଣସି ଜୀବର ଅନ୍ୱେଷଣ କର । ତାହାହେଲେ ଏପରି ଅବସ୍ଥାରେ ପଡ଼ିଥିଲେ ମଧ୍ୟ ତାକୁ ବଧ କରିବି ।’’

 

ଏହା ଶୁଣି ଶୃଗାଳ ଅନ୍ୱେଷଣ କରୁ କରୁ ନିକଟବର୍ତ୍ତୀ ଗୋଟିଏ ଗ୍ରାମରେ ପହଞ୍ଚିଲା । ସେଠାରେ ସେ ଦେଖିଲା ଯେ ପୋଖରୀକୂଳରେ ଲମ୍ବକର୍ଣ୍ଣ ନାମରେ ଗୋଟିଏ ଗର୍ଦ୍ଦଭ କୋମଳ ଦୂବଘାସର ଅଙ୍କୁରକୁ ଅତି କଷ୍ଟରେ ଖାଉଛି । ତହୁଁ ଶୃଗାଳ ତାହାର ନିକଟକୁ ଯାଇ କହିଲା, ‘‘ମାମୁଁ, ମୋର ନମସ୍କାର ଗ୍ରହଣ କର । ଅନେକ ଦିନ ପରେ ତୁମକୁ ଦେଖୁଛି । କହ, ତୁମେ ଏପରି ଦୁର୍ବଳ ହୋଇଯାଇଛ କାହିଁକି ?’’ ଗର୍ଦ୍ଦଭ କହିଲା, ‘‘ଆରେ ଭଣଜା, କଅଣ କରିବି ? ଅତି ନିଷ୍ଠୁର ରଜକ ମୋ ଉପରେ ଗୁରୁ ଭାର ଲଦି ମୋତେ କଷ୍ଟ ଦେଉଛି । ଘାସ ପୁଳାଏ ସୁଦ୍ଧା ଦେଉନାହିଁ । କେବଳ ଧୂଳିମିଶା ଦୂବଅଗ ଖାଉଛି । ସେଥିରେ କାହୁଁ ମୋ ଦେହ ପୁଷ୍ଟ ହେବ ?’’

 

ଶୃଗାଳ କହିଲା, ‘‘ମାମୁଁ ! ତାହା ହୋଇଥିଲେ ନଦୀ ନିକଟରେ ମରକତ ସଦୃଶ କୋମଳ ତୃଣପୂର୍ଣ୍ଣ ଗୋଟିଏ ସ୍ଥାନ ଅଛି । ଚାଲ, ସେଠାକୁ ଯାଇ ମୋ ସହିତ ଉତ୍ତମ ବିଷୟର ଆଲୋଚନାରେ ସୁଖଭୋଗ କରି ରହ ।’’ଲମ୍ବକର୍ଣ୍ଣ କହିଲା, ‘‘ଭଣଜା, ତୁ ଯାହା କହିଲୁ ସେ କଥା ଠିକ୍‌; କିନ୍ତୁ ଆମେ ହେଉଛୁ ଗ୍ରାମ୍ୟପଶୁ,ବନର ପଶୁମାନେ ଆମକୁ ମାରିଥାନ୍ତି । ତେଣୁ ସେଭଳି ସୁନ୍ଦର ସ୍ଥାନ ଥିଲେ ମଧ୍ୟ ଆମର କି ଲାଭ ?’’

ଶୃଗାଳ କହିଲା, ‘‘ମାମୁଁ, ସେପରି କହ ନାହିଁ । ସେ ସ୍ଥାନଟି ମୋର ଭୁଜପଞ୍ଜରରେ ସୁରକ୍ଷିତ; ସେଠାରେ କୌଣସି ଶତ୍ରୁ ପ୍ରବେଶ କରିନପାରେ । ଆହୁରି ମଧ୍ୟ ଠିକ୍‌ ସେହି କାରଣରୁ (ଅର୍ଥାତ୍‌ ରଜକର ଅତ୍ୟାଚାର ହେତୁ) ତିନୋଟି ଗର୍ଦ୍ଦଭୀ ପତିହୀନ ହୋଇ ସେଠାରେ ରହିଅଛନ୍ତି । ସେମାନେ ଅତ୍ୟନ୍ତ ପୁଷ୍ଟ ଓ ଯୌବନରେ ଉନ୍ମତ୍ତ ହୋଇ ମୋତେ କହିଛନ୍ତି, ‘‘ଯଦି ତୁମେ ସତକୁ ସତ ଆମର ଭଣଜା ହୋଇଥିବ, ତେବେ କୌଣସି ଗ୍ରାମକୁ ଯାଇ ଆମର ଯୋଗ୍ୟ ଗୋଟିଏ ସ୍ୱାମୀ ନେଇଆସ । ସେମାନଙ୍କପାଇଁ ମୁଁ ତୁମକୁ ନେଉଛି ।’’

ଶୃଗାଳର କଥା ଶୁଣି ଗର୍ଦ୍ଦଭ କାମପୀଡ଼ିତ ହୋଇ ତାହାକୁ କହିଲା, ‘‘ଯଦି ଏପରି କଥା, ତେବେ ତୁ ଆଗ ଚାଲ, ମୁଁ ତୋ ସଙ୍ଗରେ ଯାଉଛି ।’’ ଅଥବା ଯଥାର୍ଥରେ କୁହାଯାଇଅଛି–ଯୁବତୀ ରମଣୀ ଛଡ଼ା ଏ ସଂସାରରେ ଅମୃତ ବା ବିଷ ବୋଲି ଅନ୍ୟ କୌଣସି ବସ୍ତୁ ନାହିଁ । ଯୁବତୀର ସଂସର୍ଗରେ ମନୁଷ୍ୟର ଜୀବନ ଓ ବିଚ୍ଛେଦରେ ମରଣ ।୩୪। ପୁଣି–

ଯେଉଁ ଯୁବତୀର ସଂସର୍ଗ ଓ ଦର୍ଶନ ବିନା ମଧ୍ୟ କେବଳ ନାମମାତ୍ର ଶ୍ରବଣରେ କାମପ୍ରବୃତ୍ତି ଜନ୍ମିଥାଏ, ତାହାର ଦୃଷ୍ଟିପଥରେ ପଡ଼ି ମନୁଷ୍ୟ ଯେ କାମରେ ଦ୍ରବୀଭୂତ ହୁଏନାହିଁ, ତାହାହିଁ ଆଶ୍ଚର୍ଯ୍ୟର ବିଷୟ ।୩୫।

ଗର୍ଦ୍ଦଭ ଶୃଗାଳ ସଙ୍ଗରେ ସିଂହର ନିକଟକୁ ଆସିଲା । ସିଂହ ଯନ୍ତ୍ରଣାରେ ଅଧୀର ହୋଇ ତାହାକୁ ଦେଖିବାମାତ୍ରେ ଉଠିବାକୁ ଚେଷ୍ଟା କଲା; ଗର୍ଦ୍ଦଭ ତତ୍‌କ୍ଷଣାତ୍‌ ପଳାଇବାକୁ ଆରମ୍ଭ କଲା । ସେ ପଳାଇ ଯାଉଥିବାବେଳେ ସିଂହ ତା’ର ପଞ୍ଝାରେ ତାକୁ ପ୍ରହାର କଲା । ହତଭାଗ୍ୟ ପୁରୁଷର ଉଦ୍ୟମ ବ୍ୟର୍ଥ ହେଲାପରି ଏହି ପ୍ରହାର ବିଫଳ ହେଲା । ତହୁଁ ଶୃଗାଳ କ୍ରୁଦ୍ଧ ହୋଇ କହିଲା, ‘‘ତୁମ ପଞ୍ଝାର ପ୍ରହାର କଅଣ ଏହିପରି ? ସାମାନ୍ୟ ଗର୍ଦ୍ଦଭ ମଧ୍ୟ ତୁମ ଆଗରୁ ବଳ ଦେଖାଇ ଚାଲିଗଲା । ତୁମେ ହସ୍ତୀ ସଙ୍ଗରେ କିପରି ଯୁଦ୍ଧ କରିବ ? ତୁମର ବଳ ଦେଖାଗଲା !’’

 

ସିଂହ ଲଜ୍ଜିତ ହୋଇ କହିଲା, ‘‘ମୁଁ କଅଣ କରିବି ? ମୁଁ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇ ରହିନଥିଲି । ନୋହିଲେ ହସ୍ତୀ ମଧ୍ୟ ମୋର ଆକ୍ରମଣରୁ ପଳାଇ ପାରିବ ନାହିଁ ।’’ ଶୃଗାଳ କହିଲା, ‘‘ଏବେ ତାକୁ ଆଉ ଥରେ ତୁମ ପାଖକୁ ଆଣିବି । କିନ୍ତୁ ତୁମେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇ ରହିଥିବ ।’’

 

ସିଂହ କହିଲା, ‘‘ଭଦ୍ର, ଯେଉଁ ଗର୍ଦ୍ଦଭ ଥରେ ମୋତେ ପ୍ରତ୍ୟକ୍ଷ ଦେଖି ପଳାଇ ଯାଇଛି. ସେ କିପରି ପୁଣି ଏଠାକୁ ଆସିବ ? ତେଣୁ ଅନ୍ୟ କୌଣସି ଜୀବର ସନ୍ଧାନ କର ।’’ ଶୃଗାଳ କହିଲା, ‘‘ସେ କଥାରେ ତୁମର କଅଣ ଅଛି ? ତୁମେ ଖାଲି ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇ ରହିଥାଅ ।’’

 

ସିଂହ ପ୍ରସ୍ତୁତ ହୋଇ ରହିଲା । ଗର୍ଦ୍ଦଭ ଯାଇଥିବା ବାଟରେ ଶୃଗାଳ ଯାଇ ଦେଖିଲା ଯେ ଗର୍ଦ୍ଦଭ ସେହି ସ୍ଥାନରେ ଚରୁଛି । ଶୃଗାଳକୁ ଦେଖିପାରି ଗର୍ଦ୍ଦଭ କହିଲା, ‘‘କିରେ ଭଣଜା, ତୁ ମୋତେ ଆଚ୍ଛା ଜାଗାକୁ ନେଇଥିଲୁ ! ମୁଁ ମୃତ୍ୟୁମୁଖରେ ପଡ଼ିଥିଲି ! କହ ଦେଖି, ସେଇଟି କି ଜୀବ ! ତା’ର ବଜ୍ରତୁଲ୍ୟ କରତଳର ପ୍ରହାରରୁ ମୁଁ ମୁକ୍ତି ପାଇଗଲି ।’’

 

ଏହା ଶୁଣି ଶୃଗାଳ ହସି ହସି କହିଲା, ‘‘ମାମୁଁ, ତୁମକୁ ଆସୁଥିବାର ଦେଖି ଗର୍ଦ୍ଦଭୀ ତୁମକୁ ପ୍ରେମରେ ଆଲିଙ୍ଗନ କରିବାକୁ ଉଠୁଥିଲା । ତୁମେ ତ ଭୟରେ ପଳାଇ ଆସିଲ । କିନ୍ତୁ ସେ ତୁମ ବିନା ରହିପାରିବନାହିଁ । ତୁମେ ପଳାଇ ଆସୁଥିବାବେଳେ ସେ ତୁମକୁ ଧରିବାପାଇଁ ହଠାତ୍‌ ହାତ ବଢ଼ାଉଥିଲା । ଏହାଛଡ଼ା ଅନ୍ୟ କୌଣସି କାରଣ ନାହିଁ । ତେଣୁ ଚାଲିଆସ । ତୁମ ସକାଶେ ସେ ଅନଶନ ବ୍ରତ କରି ବସି ରହିଛି । ସେ କହିଛି - ‘ଲମ୍ବକର୍ଣ୍ଣ ଯେବେ ମୋର ପତି ନ ହୁଅନ୍ତି, ତେବେ ମୁଁ ଅଗ୍ନିରେ ବା ଜଳରେ ପ୍ରବେଶ କରିବି, କିନ୍ତୁ ତାଙ୍କର ବିଚ୍ଛେଦ ସହିପାରିବି ନାହିଁ ।’ ଅତଏବ ତୁମେ ଦୟା କରି ସେଠାକୁ ଚାଲ । ନୋହିଲେ ତୁମର ସ୍ତ୍ରୀହତ୍ୟା ପାତକ ହେବ । ପୁଣି ଭଗବାନ୍‌ କାମଦେବ ତୁମ ଉପରେ କୋପ କରିବେ । କଥିତ ଅଛି–

 

ସ୍ତ୍ରୀମୁଦ୍ରାଂ ମକରଧ୍ୱଜସ୍ୟ ଜୟିନୀଂ ସର୍ବାର୍ଥସମ୍ପତ୍କରୀଂ

ତେ ମୂଢ଼ାଃ ପ୍ରବିହାୟ ଯାନ୍ତି କୁଧିୟୋ ମିଥ୍ୟାଫଳାନ୍ୱେଷିଣଃ ।

ତେ ତେନୈବ ନିହତ୍ୟ ନିର୍ଦୟତରଂ ନଗ୍ନୀକୃତା ମୁଣ୍ଡିତାଃ

କେଚିଦ୍ରକ୍ତପଟୀକୃତାଶ୍ଚ ଜଟିଳାଃ କାପାଳିକାଶ୍ଚାପରେ ।୩୬।

 

ଯେଉଁ ମୂର୍ଖ ମନ୍ଦବୁଦ୍ଧି ଲୋକମାନେ ସକଳ କାମନାପୂରଣକାରିଣୀ, ବିଜୟିନୀ, ନାରୀ-ରୂପିଣୀ, କାମଦେବଙ୍କ ପତାକାକୁ ପରିତ୍ୟାଗ କରି ବୃଥା (ସ୍ୱର୍ଗଲାଭାଦି) ଫଳର ଅନ୍ୱେଷଣ କରୁଛନ୍ତି, କାମଦେବ ସେମାନଙ୍କୁ ନିର୍ଦ୍ଦୟଭାବରେ ପ୍ରହାର କରି ସେମାନଙ୍କ ମଧ୍ୟରୁ କେତେକଙ୍କୁ ଉଲଗ୍ନ କରି ଛାଡ଼ିଦିଏ, କେତେକଙ୍କର ମସ୍ତକ ମୁଣ୍ଡିତ କରିଦିଏ, କେତେକଙ୍କୁ କଷାୟ ବସ୍ତ୍ର ପିନ୍ଧାଏ, କେତେକଙ୍କ ମୁଣ୍ଡରେ ଜଟା ବନ୍ଧାଏ ଓ ଆଉ କେତେକଙ୍କୁ କାପାଳିକ କରିଦିଏ ।’’ ।୩୬।

 

ଗର୍ଦ୍ଦଭ ଶ୍ରଦ୍ଧା ସହକାରେ ଶୃଗାଳର ବାକ୍ୟ ଶୁଣି ପୁନରାୟ ତାହା ସଙ୍ଗେ ଗଲା । ଅଥବା ଯଥାର୍ଥରେ କଥିତ ଅଛି–

 

ସବୁ ଜାଣିଥିଲେ ମଧ୍ୟ ମନୁଷ୍ୟ ଗର୍ହିତ କର୍ମ କରିଥାଏ । ଏହାର ଏକମାତ୍ର କାରଣ ଦୈବ-। ତାହା ହୋଇନଥିଲେ ସଂସାରରେ କୌଣସି ନିନ୍ଦନୀୟ କାର୍ଯ୍ୟ ଭଲ ଲାଗେ କି ? ।୩୭।

 

ତତ୍ପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ରହିଥିବା ସିଂହ ତାହାକୁ ବଧ କଲା । ଗର୍ଦ୍ଦଭକୁ ବଧ କରିସାରି ସିଂହ ଶୃଗାଳକୁ ଜଗୁଆଳ ରଖି, ନିଜେ ସ୍ନାନ କରିବାକୁ ନଦୀକୁ ଗଲା । ଶୃଗାଳ ଜିହ୍ୱାଲାଳସାର ବଶ ହୋଇ ଗର୍ଦ୍ଦଭର କର୍ଣ୍ଣ ଓ ହୃଦୟ (କଲିଜା)କୁ ଖାଇଦେଲା । ଯେତେବେଳେ ସ୍ନାନ ଓ ଦେବାର୍ଚ୍ଚନ ସାରି ପିତୃପୁରୁଷଙ୍କୁ ତର୍ପଣ କରି ସିଂହ ଆସିଲା, ସେତେବେଳେ ଗର୍ଦ୍ଦଭର କର୍ଣ୍ଣ ଓ ହୃଦୟ ନ ଥିବାର ଦେଖିଲା । ସେ କ୍ରୁଦ୍ଧ ହୋଇ ଶୃଗାଳକୁ କହିଲା, ‘‘ରେ ପାପିଷ୍ଠ ! ତୁ ଏପରି ଅନ୍ୟାୟ କାର୍ଯ୍ୟ କଲୁ କିପରି ? ତୁ ଏହାର କର୍ଣ୍ଣ ଓ ହୃଦୟକୁ ଖାଇବା ହେତୁ ଏହା ତୋର ଉଚ୍ଛିଷ୍ଟ ହୋଇଗଲା ।’’

 

ଶୃଗାଳ ବିନୀତଭାବରେ କହିଲା, ‘‘ହେ ସ୍ୱାମି ! ଏପରି କହନ୍ତୁ ନାହିଁ । ଏ ଗର୍ଦ୍ଦଭଟିର ଆଦୌ କର୍ଣ୍ଣ ଓ ହୃଦୟ ନ ଥିଲା; ସେହି ହେତୁରୁ ସେ ଥରେ ଆସି ଆପଣଙ୍କୁ ଦେଖି ସୁଦ୍ଧା ପୁଣି ଥରେ ଆସିଲା ।

 

ଅନନ୍ତର ସିଂହ ଶୃଗାଳର କଥାକୁ ବିଶ୍ୱାସଯୋଗ୍ୟ ମନେକରି ଶୃଗାଳ ସହିତ ଗର୍ଦ୍ଦଭକୁ ନିର୍ଭୟରେ ଖାଇଲା ।ଏହି ହେତୁରୁ ମୁଁ କହୁଥିଲି-ଆଗତଶ୍ଚ ଗତଶ୍ଚୈବ...ଇତ୍ୟାଦି ।

 

ଅତଏବ ହେ ମୂର୍ଖ, ତୁ ମୋ ସଙ୍ଗେ କପଟ କରିଥିଲୁ; କିନ୍ତୁ ପରେ ଅବଶ୍ୟ ଯୁଧିଷ୍ଠିର ଭଳି ସତ୍ୟ କଥା କହି ତାହାକୁ ବିନାଶ କଲୁ । ଅଥବା ଯଥାର୍ଥରେ କୁହାଯାଇଅଛି–

 

ସ୍ୱାର୍ଥମୁତ୍‌ସୃଜ୍ୟ ଯୋ ଦମ୍ଭୀ ସତ୍ୟଂ ବ୍ରୂତେ ସୁମନ୍ଦଧୀଃ ।

ସ ସ୍ୱାର୍ଥାଦ୍‌ ଭ୍ରଶ୍ୟତେ ନୂନଂ ଯୁଧିଷ୍ଠିର ଇବାପରଃ ।୩୮।

 

ଯେଉଁ କପଟୀ ଲୋକ ଆପଣାର ସ୍ୱାର୍ଥକୁ ତ୍ୟାଗ କରି ସତ୍ୟ କହିଥାଏ, ସେ ମହାମୂର୍ଖ ଅଟେ । କାରଣ ସେ ଦ୍ୱିତୀୟ ଯୁଧିଷ୍ଠିର ଭଳି ନିଜ ସ୍ୱାର୍ଥର ବିନାଶ କରେ ।୩୮।

 

କୁମ୍ଭୀର କହିଲା, ‘‘ସେ ଯୁଧିଷ୍ଠିର କଥା କଅଣ ?

 

ବାନର କହିଲା–

 

କଥା-୪

 

କୌଣସି ଏକ ଗ୍ରାମରେ ଜଣେ କୁମ୍ଭକାର ବାସ କରୁଥିଲା । ଏକଦା ସେ ନିଶାରେ ଭୋଳ ହୋଇ ବେଗରେ ଦଉଡ଼ୁଥିଲା ବେଳେ ଦରଭଙ୍ଗା ଖପରାର ତୀକ୍ଷ୍‌ଣ ଅଗ ଉପରେ ପଡ଼ିଗଲା । ଖପରାର ଧାରରେ ତାର ଲଲାଟ ଚିରିହୋଇଗଲା ଓ ଦେହଯାକ ରକ୍ତ ଜର ଜର ହୋଇ ସେ କୌଣସି ପ୍ରକାରେ ନିଜ ଘରକୁ ଗଲା । ତତ୍ପରେ ଅପଥ୍ୟ ଭୋଜନ ହେତୁରୁ ତା’ର ସେହି କ୍ଷତ ଭୀଷଣ ହୋଇଗଲା ଓ ବହୁ କଷ୍ଟରେ ସେ ଆରୋଗ୍ୟ ଲାଭ କଲା ।

ଏକ ସମୟରେ ଦେଶରେ ଦୁର୍ଭିକ୍ଷ ଉପସ୍ଥିତ ହେବାରୁ ସେ କୁମ୍ଭାର କ୍ଷୁଧାରେ ନିତାନ୍ତ କାତର ହୋଇ କେତେକ ରାଜସେବକଙ୍କ ସହିତ ଅନ୍ୟ ଏକ ଦେଶକୁ ଚାଲିଯାଇ ସେ ଦେଶର ରାଜାଙ୍କର ଭୃତ୍ୟ ହୋଇ ରହିଲା । ରାଜା ସେହି କୁମ୍ଭାରର କପାଳରେ ଭୟଙ୍କର କ୍ଷତଚିହ୍ନ ଦେଖି ଭାବିଲେ–ଏ ନିଶ୍ଚୟ କେହି ଜଣେ ବୀର ପୁରୁଷ । ସମ୍ମୁଖ ଯୁଦ୍ଧରେ କପାଳରେ ପ୍ରହାର ପାଇଅଛି ।

ଏହି କାରଣରୁ ରାଜା ସବୁ ରାଜପୁତ୍‌ଙ୍କ ମଧ୍ୟରେ ତାହାକୁ ବିଶେଷ ଅନୁଗ୍ରହ ଦେଖାଉଥିଲେ । ସେ ରାଜାଙ୍କର ଅଧିକ ଅନୁଗ୍ରହର ପାତ୍ର ହୋଇଥିବାର ଦେଖି ଅନ୍ୟମାନେ ତାହାକୁ ଈର୍ଷା କରୁଥିଲେ; ମାତ୍ର ରାଜାଙ୍କ ଭୟରେ କିଛି କହିପାରୁନଥିଲେ ।

ଅନନ୍ତର ଯୁଦ୍ଧ ଉପସ୍ଥିତ ହୁଅନ୍ତେ ଦିନେ ରାଜା ବୀରମାନଙ୍କୁ (ଅର୍ଥପଦବୀ ପ୍ରଭୃତି ଦ୍ୱାରା) ସମ୍ମାନିତ କଲାବେଳେ, ହାତୀ, ଘୋଡ଼ା ଓ ଯୋଦ୍ଧାମାନେ ସଜ୍ଜିତ ହେଉଥିଲେ । ଏହି ସମୟରେ ରାଜା କୁମ୍ଭାରକୁ ନିର୍ଜନରେ ପଚାରିଲେ, ‘‘ହେ, ରାଜପୁତ୍ର, ତୁମର ନାମ କଅଣ ? ତୁମର କି ଜାତି ? କେଉଁ ଯୁଦ୍ଧରେ ତୁମ କପାଳରେ ଆଘାତ ଲାଗିଥିଲା ?’’

ସେ ଉତ୍ତରକଲା, ‘‘ମହାରାଜ ! ସେଇଟା ଅସ୍ତ୍ରପ୍ରହାର ହେତୁ ହୋଇନାହିଁ । ପ୍ରକୃତରେ ମୁଁ ହେଉଛି ଜଣେ କୁମ୍ଭାର ଓ ମୋର ନାମ ଯୁଧିଷ୍ଠିର । ମୋ ଘରେ ଅନେକ ଖପରା ପଡ଼ିଥିଲା । ଏକ ସମୟରେ ମଦ ପିଇ ଘରୁ ବାହାରି ଦଉଡ଼ୁ ଦଉଡ଼ୁ ଖପରା ଉପରେ ପଡ଼ିଗଲି । ସେହି ଖପରାର ଆଘାତ ହେତୁ ମୋର କପାଳ ଏପରି ବିକୃତ ଦିଶୁଅଛି ।’’

ଏହା ଶୁଣି ରାଜା ଲଜ୍ଜିତ ହୋଇ କହିଲେ, ‘‘ଓହୋ ! ଏ କୁମ୍ଭାର ରାଜପୁତ୍ରମାନଙ୍କୁ ଅନୁକରଣ କରିଥିବାରୁ ତାହାଦ୍ୱାରା ମୁଁ ପ୍ରତାରିତ ହୋଇଅଛି । ତାକୁ ଏହିକ୍ଷଣି ଅର୍ଦ୍ଧଚନ୍ଦ୍ର ଦେଇ ବିଦାୟ କର ।’’ ସେ ଏହା କହିବାରୁ କୁମ୍ଭାର କହିଲା, ‘‘ମହାରାଜ ! ସେପରି କରନ୍ତୁ ନାହିଁ । ଯୁଦ୍ଧରେ ମୋର ହସ୍ତପଟୁତା ଦେଖନ୍ତୁ ।’’ ରାଜା କହିଲେ, ‘‘ତାହାହେଲେ ତୁମଠାରେ ସବୁ ଗୁଣ ଅଛି-। ତଥାପି ତୁମେ ବାହାରିଯାଅ ।’’ କଥିତ ଅଛି–

ଶୂରଶ୍ଚକୃତବିଦ୍ୟଶ୍ଚ ଦର୍ଶନୀୟୋଽସି ପୁତ୍ରକ !

ଯସ୍ମିନ୍‌ କୁଳେ ତ୍ୱମୁତ୍ପନ୍ନୋ ଗଜସ୍ତତ୍ର ନ ହନ୍ୟତେ ।୩୯।

ହେ ପୁତ୍ର ! ତୁ ବୀର, କୃତବିଦ୍ୟ ଓ ଦେଖିବାକୁ ମଧ୍ୟ ସୁନ୍ଦର; କିନ୍ତୁ ଯେଉଁ କୁଳରେ ତୋର ଜନ୍ମ, ସେଥିରେ କେହି ହାତୀ ମାରିନଥାନ୍ତି ।୩୯।

କୁମ୍ଭାର ପଚାରିଲା, ‘‘ଏ କଥା କିପରି ?’’

ରାଜା କହିଲେ–

 

କଥା-୫

 

କୌଣସି ଏକ ସ୍ଥାନରେ ଗୋଟିଏ ସିଂହ ଓ ତାର ସ୍ତ୍ରୀ ବାସ କରୁଥିଲେ । ସିଂହୀ ଦୁଇଟି ପୁତ୍ରସନ୍ତାନ ପ୍ରସବ କଲା । ସିଂହ ପ୍ରତିଦିନ ପଶୁ ବଧ କରି ଆଣି ସିଂହୀକୁ ଦେଉଥିଲା । ଦିନେ ସିଂହକୁ କୌଣସି ପଶୁ ମିଳିଲା ନାହିଁ । ସେ ଭ୍ରମଣ କରୁ କରୁ ସୂର୍ଯ୍ୟ ଅସ୍ତ ହୋଇଗଲେ । ସେ ଘରକୁ ଆସିଲା ବେଳକୁ ଗୋଟିଏ ଶୃଗାଳଶିଶୁ ପାଇଲା । ଏଇଟି ଶିଶୁଟିଏ–ଏହିପରି ବିଚାରି ସିଂହ ଅତି ଯତ୍ନରେ ତାକୁ ଦନ୍ତ ମଧ୍ୟରେ ଧରି ଜୀବନ୍ତ ଅବସ୍ଥାରେ ଆଣି ସିଂହୀକୁ ଦେଲା । ତହୁଁ ସିଂହୀ କହିଲା, ‘‘ହେ ପ୍ରିୟ ! ଆଜି ଏଇ ଶୃଗାଳଶିଶୁଟି ଛଡ଼ା ଆଉ କୌଣସି ଜୀବ ମିଳିଲା ନାହିଁ । ଛୁଆଟିଏ ବୋଲି ମନେକରି ତାକୁ ବଧ କରିନାହିଁ; ବିଶେଷତଃ ସେ ହେଉଛି ଆମର ସ୍ୱଜାତୀୟ । କଥିତ ଅଛି–

 

ଜୀବନ ସଂଶୟରେ ପଡ଼ିଲେ ମଧ୍ୟ ସ୍ତ୍ରୀ, ବ୍ରାହ୍ମଣ, ସନ୍ନ୍ୟାସୀ ତଥା ବାଳକ ଓ ବିଶେଷତଃ ନିଜର ବିଶ୍ୱସ୍ତ ପ୍ରାଣୀକୁ ବିନାଶ କରିବା କଦାପି ଉଚିତ ନୁହେଁ ।୪୦।

 

ବର୍ତ୍ତମାନ ତୁମେ ଏହାରି ମାଂସରେ ପଥି କର । ସକାଳେ ଅନ୍ୟ କୌଣସି ଜୀବ ଆଣିବି-।’’ ସିଂହୀ କହିଲା, ‘‘ହେ, କାନ୍ତ ! ପିଲାଟିଏ ବୋଲି ବିଚାର କରି ତୁମେ ତାକୁ ବଧ କଲ ନାହିଁ । ତେବେ ମୁଁ ନିଜର ଉଦରପାଇଁ କିପରି ତାକୁ ବଧ କରିବି ? କଥିତ ଅଛି–

 

ଜୀବନସଂଶୟ ଉପସ୍ଥିତ ହୋଇଥିଲେ ସୁଦ୍ଧା ଅକରଣୀୟ କାର୍ଯ୍ୟ କରିବା ଉଚିତ ନୁହେଁ । ଆହୁରି ମଧ୍ୟ କରଣୀୟ କାର୍ଯ୍ୟକୁ ତ୍ୟାଗ କରିବା ଅନୁଚିତ । ଏହାହିଁ ହେଉଛି ସନାତନ ଧର୍ମ ।୪୨।

 

ତେଣୁ ଏଇଟି ମୋର ତୃତୀୟ ପୁତ୍ର ହୋଇ ରହିବ ।’’

 

ଏହା କହି ସିଂହୀ ତାହାକୁ ନିଜ ସ୍ତନରୁ ଦୁଗ୍‌ଧ ପାନ କରାଇ ବଢ଼ାଇବାକୁ ଲାଗିଲା । ଏହିପରି ତିନୋଟିଯାକ ଶିଶୁ ପରସ୍ପର ଜାତିଗତ ପ୍ରଭେଦ ନ ଜାଣି ଏକତ୍ର ଖେଳି ବୁଲି ବାଲ୍ୟ କାଳ କଟାଉଥିଲେ । ଏକ ସମୟରେ ଗୋଟିଏ ବନ୍ୟହସ୍ତୀ ଭ୍ରମଣ କରୁ କରୁ ସେହି ବନରେ ଉପସ୍ଥିତ ହେଲା । ତାହାକୁ ଦେଖି ସିଂହପୁତ୍ର ଦୁହେଁ କ୍ରୋଧରେ ଯେତେବେଳେ ଆକ୍ରମଣ କରିବାକୁ ବାହାରିଲେ ସେତେବେଳେ ସେ (ଶୃଗାଳପୁତ୍ର) କହିଲା, ‘‘ଆରେ ଆରେ, ଏ ହେଉଛି ଗୋଟାଏ ହାତୀ, ତୁମ କୁଳର ଶତ୍ରୁ । ତେଣୁ ତା’ ଆଗକୁ ଯିବା ଉଚିତ ନୁହେଁ ।’’ ଏହା କହି ସେ ଘରକୁ ପଳାଇଗଲା । ସେ ଦୁହେଁ ମଧ୍ୟ ବଡ଼ଭାଇକୁ ଭୟତ୍ରସ୍ତ ଦେଖି ନିରୁତ୍ସାହ ହୋଇ ପଡ଼ିଲେ ।ଅଥବା ଯଥାର୍ଥରେ କୁହାଯାଇଅଛି–

 

ସୈନ୍ୟଦଳରେ ଜଣେ ସୈନ୍ୟ ଧୈର୍ଯ୍ୟଶାଳୀ ଓ ଉତ୍ସାହୀ ହୋଇଥିଲେ; ସମସ୍ତ ସୈନ୍ୟ ଯୁଦ୍ଧରେ ଉତ୍ସାହୀ ହୋଇଯାଆନ୍ତି; କିନ୍ତୁ ଜଣେ ହେଲେ ସୈନ୍ୟ ନିରୁତ୍ସାହିତ ହୋଇଗଲେ ସମସ୍ତ ସୈନ୍ୟ ସେହିପରି ଉତ୍ସାହହୀନ ହୋଇଯାଆନ୍ତି ।୪୨। ପୁଣି–

 

ଏହି ହେତୁ ରାଜାମାନେ କେବଳ ବଳବାନ୍‌, ବୀର, ଉତ୍ସାହୀ ସୈନ୍ୟଙ୍କୁ ଚାହାନ୍ତି; ଭୀରୁ ସୈନ୍ୟମାନଙ୍କୁ ତ୍ୟାଗ କରନ୍ତି ।୪୩।

 

ଏହାପରେ ସେ ଦୁହେଁ ଘରକୁ ଯାଇ ବାପାଙ୍କ ଆଗରେ ବଡ଼ ଭାଇର କାମ ବର୍ଣ୍ଣନା କରି କହିଲେ ଯେ ସେ ହାତୀ ଦୂରରୁ ଦେଖୁ ଦେଖୁ ପଳାଇ ଆସିଲେ । ସେ (ଶୃଗାଳପୁତ୍ର) ମଧ୍ୟ ଏହା ଶୁଣି ମନରେ କୋପ କଲା; ତା’ର ଅଧର କମ୍ପିଉଠିଲା; ଚକ୍ଷୁ ତାମ୍ରବର୍ଣ୍ଣ ଧାରଣ କଲା । ବକ୍ର ନୟନରେ ଚାହିଁ ସେ ଅନ୍ୟ ଦୁହିଁଙ୍କୁ କଠୋର ବାକ୍ୟରେ ଭର୍ତ୍ସନା କରିବାକୁ ଲାଗିଲା । ତହୁଁ ସିଂହୀ ତାକୁ ଏକୁଟିଆ ଡାକିନେଇ ପ୍ରବୋଧନା ଦେଇ କହିଲା, ‘‘ବତ୍ସ ! ଆଉ କେବେ ଏପରି କହିବୁ ନାହିଁ; ସେ ଦୁହେଁ ହେଉଛନ୍ତି ତୋର ସାନଭାଇ ।’’ କିନ୍ତୁ ସେ ନିତାନ୍ତ କ୍ରୁଦ୍ଧ ହୋଇ ସିଂହୀକୁ କହିଲା, ‘‘ମୁଁ କଅଣ ବୀରତ୍ୱରେ, ରୂପରେ, ପାଠପଢ଼ାରେ ବା କୌଶଳରେ ସେ ଦୁହିଙ୍କଠାରୁ ହୀନ ଯେ ମୋତେ ଉପହାସ କରିବେ ! ମୁଁ ନିଶ୍ଚୟ ସେ ଦୁହିଙ୍କୁ ମାରିପକାଇବି ।’’ ତାହା ଶୁଣି ସିଂହୀ ତା’ର ଜୀବନରକ୍ଷା କରିବାକୁ ଇଚ୍ଛା କରି ମନେ ମନେ ହସି କହିଲା–‘‘ଶୂରଶ୍ଚ କୃତବିଦ୍ୟଶ୍ଚ.....ଇତ୍ୟାଦି ।

 

ତେବେ ସବୁ କଥା ଶୁଣ । ବତ୍ସ ! ତୁ ହେଉଛୁ ଗୋଟିଏ ଶୃଗାଳୀର ପୁଅ । ମୁଁ ଦୟାକରି ନିଜ ସ୍ତନରୁ କ୍ଷୀର ଦେଇ ତୋତେ ବଢ଼ାଇଅଛି । ମୋ ପୁଅ ଦୁଇଟି ଏବେ ପିଲା ହୋଇଥିବାରୁ ତୁ ଶୃଗାଳ ବୋଲି ଜାଣିନାହାନ୍ତି । ସେମାନେ ତୋତେ ଚିହ୍ନିବା ଆଗରୁ ତୁ ପଳାଇଯାଇ ଆପଣା ଜାତି ଭିତରେ ରହ ।’’ ଏହା ଶୁଣି ସେ ମଧ୍ୟ ଭୟରେ ବ୍ୟାକୁଳ ହୋଇ ଧୀରେ ଧୀରେ ସେଠାରୁ ଅପସରି ଗଲା ଓ ନିଜ ଜାତିରେ ମିଶିଗଲା ।

 

ତେଣୁ ରାଜପୁତ୍‌ମାନେ ତୋତେ କୁମ୍ଭାର ବୋଲି ଜାଣିବା ପୂର୍ବରୁ ତୁ ମଧ୍ୟ ଶୀଘ୍ର ପଳାଇଯାଅ । ନୋଚେତ୍‌ ସେମାନଙ୍କ ଦ୍ୱାରା ବିଡ଼ମ୍ବିତ ହୋଇ ମରିବୁ । କୁମ୍ଭାର ମଧ୍ୟ ଏହା ଶୁଣି ଶୀଘ୍ର ଚାଲିଗଲା । ଏହି ହେତୁରୁ ମୁଁ କହୁଥିଲି–ସ୍ୱାର୍ଥମୁତ୍‌ସୃଜ୍ୟ ଯୋ ଦମ୍ଭୀ.....ଇତ୍ୟାଦି ।

 

(ବାନର ପୁଣି କହିଲା) ଆରେ ମୂର୍ଖ । ତୋତେ ଧିକ୍‌ ଯେ ତୁ ସ୍ତ୍ରୀ ଲାଗି ଏପରି କୁକାର୍ଯ୍ୟ କରିବାକୁ ବସିଥିଲୁ । ସ୍ତ୍ରୀମାନଙ୍କୁ କେବେହେଲେ ବିଶ୍ୱାସ କରିବା ଉଚିତ ନୁହେଁ । କଥିତ ଅଛି–

 

ଯଦର୍ଥେ ସ୍ୱକୁଳଂ ତ୍ୟକ୍ତଂ ଜୀବିତାର୍ଥଂ ଚ ହାରିତମ୍‌ ।

ସା ମାଂ ତ୍ୟଜତି ନିଃସ୍ନେହା କଃ ସ୍ତ୍ରୀଣାଂ ବିଶ୍ୱସେନ୍ନରଃ ।୪୪।

 

ଯାହା ସକାଶେ ମୁଁ ନିଜର କୁଳ ତ୍ୟାଗ କଲି ଓ ଜୀବନର ଅର୍ଦ୍ଧେକ ହରାଇଲି, ସେହି ସ୍ତ୍ରୀ ସ୍ନେହହୀନା ହୋଇ ମୋତେ ତ୍ୟାଗ କରିଯାଉଛି । ତେଣୁ କେଉଁ ମନୁଷ୍ୟ ସ୍ତ୍ରୀମାନଙ୍କୁ ବିଶ୍ୱାସ କରିବ-? ।୪୪ ।

 

କୁମ୍ଭୀର କହିଲା, ‘‘ଏ କଥା କଅଣ ?’’

 

ବାନର କହିଲା–

 

କଥା-୬

 

କୌଣସି ସ୍ଥାନରେ ଜଣେ ବ୍ରାହ୍ମଣ ବାସ କରୁଥିଲା । ସେ ନିଜର ଭାର୍ଯ୍ୟାକୁ ପ୍ରାଣଠାରୁ ବଳି ପ୍ରିୟ ବୋଲି ମନେ କରୁଥିଲା । ତା’ର ଭାର୍ଯ୍ୟା ପ୍ରତିଦିନ ପରିବାର ସହିତ କଳହ କରି ମଧ୍ୟ କେବେ ଶାନ୍ତ ହେଉନଥିଲା । ବ୍ରାହ୍ମଣ କଳହ ସହି ନ ପାରି ଭାର୍ଯ୍ୟା ପ୍ରତି ଆସକ୍ତି ହେତୁ ଆପଣାର ପରିବାରକୁ ଛାଡ଼ି ତାହା ସହିତ ଦୂର ଦେଶକୁ ଯିବାକୁ ବାହାରିଲା । ଗୋଟିଏ ଘନ ଅରଣ୍ୟ ମଧ୍ୟରେ ଯାଉଥିବାବେଳେ ବ୍ରାହ୍ମଣୀ କହିଲା, ‘‘ହେ ଆର୍ଯ୍ୟପୁତ୍ର, ତୃଷାରେ ମୁଁ କଷ୍ଟ ପାଉଅଛି । କୌଣସିଠାରେ ଜଳର ଅନ୍ୱେଷଣ କର ।’’

 

ତାର କଥା ଅନୁସାରେ ବ୍ରାହ୍ମଣ ଜଳ ଆଣି ଆସି ଦେଖିଲା ଯେ ତା’ର ସ୍ତ୍ରୀ ମରିପଡ଼ିଛି । ଭାର୍ଯ୍ୟାକୁ ଅତି ଭଲ ପାଉଥିବାରୁ ସେ ଯେତେବେଳେ ବିଳାପ କରୁଥିଲା ସେତେବେଳେ ଆକାଶରୁ ଶୁଣାଗଲା–‘‘ହେ ବ୍ରାହ୍ମଣ ! ଯଦି ତୁ ନିଜ ଆୟୁଷରୁ ଅଧେ ତାକୁ ଦେବୁ, ତାହାହେଲେ ତୋର ବ୍ରାହ୍ମଣୀ ବଞ୍ଚି ଉଠିବ ।’’ ଏହା ଶୁଣି ବ୍ରାହ୍ମଣ ପବିତ୍ର ହୋଇ ତିନିଥର ସଂକଳ୍ପ କରି ନିଜ ଆୟୁଷରୁ ଅଧେ ତାକୁ ଦେଲା । ବ୍ରାହ୍ମଣ ସଂକଳ୍ପ କରି କହିବା ସଙ୍ଗେ ସଙ୍ଗେ ବ୍ରାହ୍ମଣୀ ଜୀଇଁ ଉଠିଲା ।

 

ଏହାପରେ ଦୁହେଁଯାକ ଜଳ ପିଇ, ଫଳମୂଳ ଖାଇ ପୁଣି ଚାଲିବାକୁ ଲାଗିଲେ । ଯାଉ ଯାଉ ସେମାନେ କୌଣସି ନଗରର ପୁଷ୍ପ ଉପବନରେ ପ୍ରବେଶ କଲେ । ବ୍ରାହ୍ମଣ ତା’ର ସ୍ତ୍ରୀକୁ କହିଲା, ‘‘ଭଦ୍ରେ ! ମୁଁ ଯାଉଛି, କିଛି ଖାଦ୍ୟଦ୍ରବ୍ୟ ନେଇ ଆସିବି । ମୁଁ ଫେରିଆସିବା ପର୍ଯ୍ୟନ୍ତ ତୁମେ ଏହିଠାରେ ରହିଥିବ ।’’ ଏହା କହି ବ୍ରାହ୍ମଣ ନଗର ଭିତରକୁ ଗଲା । ସେହି ପୁଷ୍ପବାଟିକାରେ ଗୋଟିଏ କୂଅର ଶଗଡ଼ିକୁ ବୁଲାଇ ବୁଲାଇ ଜଣେ ପଙ୍ଗୁ ଲୋକ ଅତି ମଧୁର ସ୍ୱରରୁ ଗୀତ ଗାଉଥିଲା-। ତାହା ଶୁଣି ବ୍ରାହ୍ମଣୀ କାମବାଣରେ ବିଦ୍ଧ ହୋଇ, ତାହା ପାଖକୁ ଯାଇ କହିଲା, ‘‘ଭଦ୍ର ! ତୁମେ ଯଦି ମୋର କାମନା ପୂର୍ଣ୍ଣ ନ କରିବ ତେବେ ତୁମର ସ୍ତ୍ରୀ ହତ୍ୟା ଦୋଷ ହେବ ।

 

ପଙ୍ଗୁ କହିଲା, ‘‘ମୁଁ ବ୍ୟାଧିଗ୍ରସ୍ତ, ମୋ’ଦ୍ୱାରା ତୁମର କଅଣ ହେବ ? ବ୍ରାହ୍ମଣୀ କହିଲା, ‘‘ସେପରି କହିଲେ କି ଲାଭ ? ତୁମକୁ ନିଶ୍ଚୟ ମୋ ସହିତ ସଙ୍ଗମ କରିବାକୁ ହେବ ।’’ ଏହା ଶୁଣି ପଙ୍ଗୁ ତାହାହିଁ କଲା । ସୁରତକ୍ରିୟା ପରେ ବ୍ରାହ୍ମଣୀ କହିଲା, ‘‘ଆଜିଠାରୁ ତୁମକୁ ମୁଁ ନିଜକୁ ଜୀବନଥିବାପର୍ଯ୍ୟନ୍ତ ଅର୍ପଣ କଲି । ଏହା ମନେ ରଖି ତୁମେ ମଧ୍ୟ ଆମ ସହିତ ଆସ ।’’ ପଙ୍ଗୁ କହିଲା, ‘‘ତାହାହିଁ ହେଉ ।’’

 

ବ୍ରାହ୍ମଣ ଭୋଜନ ଦ୍ରବ୍ୟ ସହ ଆସି ସ୍ତ୍ରୀ ସହିତ ଖାଇବାକୁ ଆରମ୍ଭ କଲା । ବ୍ରାହ୍ମଣୀ କହିଲା, ‘‘ଏହି ପଙ୍ଗୁଟି କ୍ଷୁଧାରେ କାତର । ତେଣୁ ତାକୁ ମଧ୍ୟ ଏ ଆହାରରୁ କିଛି ଦିଅ ।’’ ବ୍ରାହ୍ମଣ ତାକୁ ଆହାର ଦେଲା ପରେ ବ୍ରାହ୍ମଣୀ କହିଲା ‘‘ହେ ବ୍ରାହ୍ମଣ ! ତୁମେ ଯେତେବେଳେ (ସହାୟହୀନ) ଏକାକୀ ଅନ୍ୟ ଗ୍ରାମକୁ ଚାଲିଯାଉଛ, ସେତେବେଳେ ମୋତେ କଥାରେ ମଧ୍ୟ ସାହାଯ୍ୟ କରିବାକୁ କେହି ନାହିଁ । ତେଣୁ ଏ ପଙ୍ଗୁକୁ ସଙ୍ଗରେ ନେଇଯିବା ।’’ ବ୍ରାହ୍ମଣ କହିଲା, ‘‘ନିଜେ ଚାଲିବାପାଇଁ ମୋର ବଳ ନାହିଁ; ସେଥିରେ ପୁଣି ଏ ପଙ୍ଗୁକୁ କିପରି ନେବି ?’’ ବ୍ରାହ୍ମଣୀ କହିଲା,‘‘ତାକୁ ପେଟରାରେ ପୂରାଇ ମୁଁ ବୋହିନେବି ।’’ ବ୍ରାହ୍ମଣ ସ୍ତ୍ରୀର କପଟ ବଚନରେ ମୋହିତ ହୋଇ ଏଥିରେ ସ୍ୱୀକୃତ ହେଲା । ତାହାହିଁ କରାଗଲା ।

 

ଅନନ୍ତର ଦିନେ ବ୍ରାହ୍ମଣ କୂପନିକଟରେ ବସି ବିଶ୍ରାମ କରୁଥିବା ସମୟରେ ପଙ୍ଗୁପ୍ରତି ଆସକ୍ତ ବ୍ରାହ୍ମଣୀ ତାକୁ ଠେଲିଦେଇ କୂପ ଭିତରେ ପକାଇଦେଲା ଓ ପଙ୍ଗୁକୁ ପେଟରାରେ ବୋହି ଗୋଟିଏ ନଗରରେ ପ୍ରବେଶ କଲା । ସେଠାରେ ଶୁଳ୍‌କ ନ ଦେଇ ଠକୁଥିବା ଚୋରଙ୍କୁ ଧରିବାପାଇଁ ନିଯୁକ୍ତ ଥିବା କର୍ମଚାରୀମାନେ ଇତସ୍ତତଃ ଭ୍ରମଣ କରୁଥିଲେ । ବ୍ରାହ୍ମଣୀର ମୁଣ୍ଡରେ ଗୋଟିଏ ପେଟରା ଥିବାର ଦେଖି ସେମାନେ ବଳପୂର୍ବକ ପେଟରାଟିକୁ ରାଜାଙ୍କ ପାଖକୁ ନେଇଗଲେ । ରାଜା ପେଟରାକୁ ଖୋଲିବାରୁ ତହିଁରୁ ପଙ୍ଗୁ ବାହାରିଲା । ବ୍ରାହ୍ମଣୀ ରାଜକର୍ମଚାରୀମାନଙ୍କ ପଛେ ପଛେ ବିଳାପ କରି କରି ସେଠାକୁ ଆସିଲା । ରାଜା ପଚାରିଲେ–‘‘ଘଟନା କଅଣ ?’’ ବ୍ରାହ୍ମଣୀ କହିଲା, ‘‘ଏ ମୋର ସ୍ୱାମୀ । ସେ ବ୍ୟାଧିଗ୍ରସ୍ତ; ପରିବାରବର୍ଗଙ୍କ ଦ୍ୱାରା ଉତ୍ପୀଡ଼ିତ । ତେଣୁ ମୁଁ ପତିସ୍ନେହବଶତଃ ତାଙ୍କୁ ମୁଣ୍ଡରେ ବୋହି ବୋହି ଆପଣଙ୍କ ନଗରକୁ ଆଣିଛି ।’’

 

ତାହା ଶୁଣି ରାଜା କହିଲେ, ‘‘ବ୍ରାହ୍ମଣି ! ଆଜିଠାରୁ ତୁମେ ମୋର ଭଗିନୀ ହେଲ । ତୁମକୁ ଦୁଇଟି ଗ୍ରାମ ଦେଉଛି । ତାହାକୁ ନେଇ ସ୍ୱାମୀ ସହିତ ଭୋଗ କରି ସୁଖରେ ରହ ।’’

 

ଏଣେ ଦୈବବଶରୁ ଜଣେ ସାଧୁ କୂପମଧ୍ୟରୁ ବ୍ରାହ୍ମଣକୁ ଉଦ୍ଧାର କରିବାରୁ ସେ ଭ୍ରମଣ କରୁ କରୁ ସେହି ନଗରରେ ଉପସ୍ଥିତ ହେଲା । ତା’ର ଦୁଷ୍ଟା ଭାର୍ଯ୍ୟା ତାକୁ ଦେଖିପାରି ରାଜାଙ୍କୁ ଜଣାଇଲା, ‘‘ହେ ମହାରାଜ, ଏ ଲୋକଟି ମୋ ସ୍ୱାମୀର ଶତ୍ରୁ ।’’ ରାଜା ତତ୍‌କ୍ଷଣାତ୍‌ ବ୍ରାହ୍ମଣର ମୃତ୍ୟୁଦଣ୍ଡ ଆଦେଶ ଦେଲେ । ବ୍ରାହ୍ମଣ କହିଲା, ‘‘ମହାରାଜ, ଏ ସ୍ତ୍ରୀଲୋକଟି ମୋର କିଛି ଜିନିଷ ନେଇଛି । ଯଦି ଆପଣ ନ୍ୟାୟପରାୟଣ ରାଜା ହୋଇଥାନ୍ତି, ତେବେ ମୋର ସେ ଜିନିଷ ଦିଆଇ ଦିଅନ୍ତୁ ।’’

 

ରାଜା ବ୍ରାହ୍ମଣୀକୁ କହିଲେ, ‘‘ଭଦ୍ରେ ! ତୁମେ ଏହାଠାରୁ ଯଦି କିଛି ନେଇଥାଅ, ତେବେ ତାହା ଫେରାଇଦିଅ ।’’ ବ୍ରାହ୍ମଣୀ କହିଲା, ‘‘ମୁଁ ଏହାଠାରୁ କିଛି ନେଇ ନାହିଁ ।’’ ବ୍ରାହ୍ମଣ କହିଲା, ‘‘ମୁଁ ତିନିଥର ସଂକଳ୍ପ କରି ତୋତେ ମୋ ଆୟୁଷରୁ ଅଧେ ଦେଇଥିଲି । ତାହା ଫେରାଇଦେ ।’’ ରାଜଭୟରେ ବ୍ରାହ୍ମଣୀ କହିପକାଇଲା, ‘‘ସେ ତିନିଥର ସଂକଳ୍ପ କରି ମୋତେ ତା’ର ଜୀବନର ଅଧେ ଦେଇଥିଲା ।’’ ଏହା କହିବା ସଙ୍ଗେ ସଙ୍ଗେ ତା’ର ପ୍ରାଣବାୟୁ ବାହାରିଗଲା । ରାଜା ଅତ୍ୟନ୍ତ ବିସ୍ମିତ ହୋଇ କହିଲେ–ଯଦର୍ଥେ ସ୍ୱକୁଳଂ ତ୍ୟକ୍ତଂ.....ଇତ୍ୟାଦି ।

 

ବାନର ପୁଣି କହିଲା–ଏ ବିଷୟରେ ଗୋଟିଏ ଗଳ୍ପ ଅଛି–

 

ନି କିଂ ଦଦ୍ୟାନ୍ନ କିଂ କୁର୍ଯ୍ୟାତ୍‌ ସ୍ତ୍ରୀଭିରଭ୍ୟର୍ଥିତୋ ନରଃ ।

ଅନଶ୍ୱା ଯତ୍ର ହ୍ରେଷ୍ୟନ୍ତେ ଶିରଃ ପର୍ବଣି ମୁଣ୍ଡିତମ୍‌ ।।

 

ସ୍ତ୍ରୀମାନେ ପ୍ରାର୍ଥନା କଲେ ମନୁଷ୍ୟ କଅଣ ନ ଦିଏ ବା କଅଣ ନ କରେ ! ସ୍ତ୍ରୀର ପ୍ରାର୍ଥନାରେ ଘୋଡ଼ା ନ ହୋଇ ମଧ୍ୟ ମନୁଷ୍ୟ ହ୍ରେଷାରାବ କରିପାରେ, ନିଷିଦ୍ଧ ଦିନରେ ମଧ୍ୟ ମୁଣ୍ଡିତ (ଲଣ୍ଡା) ହୋଇପାରେ ।

 

କୁମ୍ଭୀର କହିଲା, ‘‘ସେ କଥାଟି କଅଣ ?’’

 

ବାନର କହିଲା–

 

କଥା-୭

 

କୌଣସି ଦେଶରେ ନନ୍ଦ ନାମରେ ଜଣେ ରାଜା ଥିଲେ । ତାଙ୍କର ବଳ ଓ ପରାକ୍ରମ ଜଗଦ୍‌ବିଖ୍ୟାତ ଥିଲା । ଅନେକ ରାଜାଙ୍କ ମସ୍ତକସ୍ଥିତ ମୁକୁଟମଣିର କିରଣରେ ତାହାଙ୍କର ପାଦପୀଠ ଉଜ୍ଜ୍ୱଳ ହେଉଥିଲା । ତାଙ୍କର ଯଶ ଶରତ୍‌କାଳୀନ ଚନ୍ଦ୍ରସଦୃଶ ନିର୍ମଳ ଥିଲା । ତାଙ୍କର ରାଜ୍ୟ ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେହି ରାଜାଙ୍କର ବରରୁଚି ନାମକ ଜଣେ ମନ୍ତ୍ରୀ ଥିଲେ । ସେ ସକଳ ଶାସ୍ତ୍ରର ସମସ୍ତ ତତ୍ତ୍ୱ ଜାଣିଥିଲେ । ଏକଦା ବରରୁଚିଙ୍କର ତାଙ୍କ ପତ୍ନୀଙ୍କ ସହିତ ପ୍ରଣୟକଳହ ହେବାରୁ ପତ୍ନୀ କୁପିତା ହେଲେ । ସେ ବରରୁଚିଙ୍କର ଏକାନ୍ତ ପ୍ରିୟା ଥିଲେ । ତାଙ୍କୁ ଯେତେ ପ୍ରକାରେ ସନ୍ତୋଷ କରିବାକୁ ଉଦ୍ୟମ କଲେହେଁ ସେ ପ୍ରସନ୍ନା ହେଲେ ନାହିଁ । ତହୁଁ ବରରୁଚି କହିଲେ, ‘‘ଭଦ୍ରେ-! ତୁମେ କିପରି ସନ୍ତୁଷ୍ଟ ହେବ, କହ । ତୁମେ ଯାହା କହିବ, ମୁଁ ନିଶ୍ଚୟ କରିବି ।’’ ତତ୍ପରେ ସେ ଅତି କଷ୍ଟରେ କହିଲେ, ‘‘ଯଦି ତୁମେ ମସ୍ତକର କେଶ ମୁଣ୍ଡନ କରି ମୋର ପାଦତଳେ ପଡ଼ିବ, ତାହାହେଲେ ମୁଁ ପ୍ରସନ୍ନ ହେବି ।’’ ବରରୁଚି ସେହିପରି କରିବାରୁ ପତ୍ନୀଙ୍କର ସନ୍ତୋଷ ହେଲା-

 

ଏଣେ ରାଜା ନନ୍ଦଙ୍କର ପତ୍ନୀ ମଧ୍ୟ ସେହିପରି ରୁଷ୍ଟା ହୋଇ ଯେତେ ପ୍ରାର୍ଥନା କଲେ ହେଁ ସନ୍ତୁଷ୍ଟ ହେଲେ ନାହିଁ । ନନ୍ଦରାଜା କହିଲେ, ‘‘ଭଦ୍ରେ, ତୁମ ବିନା ମୁଁ ମୁହୂର୍ତ୍ତେମାତ୍ର ବଞ୍ଚିପାରିବି ନାହିଁ । ତୁମର ପାଦତଳେ ପଡ଼ି ତୁମର ସନ୍ତୋଷ ବିଧାନ କରିବି ।’’ ରାଣୀ କହିଲେ, ‘‘ଯଦି ତୁମ ମୁହଁରେ ଲଗାମ ଲଗାଇ ମୁଁ ତୁମ ପିଠିରେ ବସି ଦଉଡ଼ାଇବି, ପୁଣି ଦଉଡ଼ିବାବେଳେ ଯଦି ଘୋଡ଼ା ପରି ହ୍ରେଷାରାବ କରିବ, ତେବେ ମୁଁ ପ୍ରସନ୍ନ ହେବି ।’’ ରାଜା ମଧ୍ୟ ସେହିପରି କଲେ । ଅନନ୍ତର ପ୍ରଭାତରେ ରାଜସଭାରେ ବସିଥିବା ସମୟରେ ବରରୁଚି ରାଜାଙ୍କ ନିକଟରେ ଉପସ୍ଥିତ ହେଲେ । ତାହାଙ୍କୁ ଦେଖି ରାଜା ପଚାରିଲେ, ‘‘ହେ ବରରୁଚି, ତୁମେ କେଉଁ ପର୍ବରେ ମସ୍ତକର କେଶ ମୁଣ୍ଡନ କଲ ?’’ ବରରୁଚି କହିଲେ–ନ କିଂ ଦଦ୍ୟାତ୍‌.....ଇତ୍ୟାଦି ।

 

ତେଣୁ ରେ ଦୁଷ୍ଟ କୁମ୍ଭୀର ! ତୁ ମଧ୍ୟ ସେହି ନନ୍ଦ ଓ ବରରୁଚିଙ୍କ ଭଳି ସ୍ତ୍ରୀର ବଶବର୍ତ୍ତୀ । ତୁ ଆସି ମୋତେ ମାରିବାର ଉପାୟ ଚିନ୍ତା କରୁଥିଲୁ, କିନ୍ତୁ ନିଜର କହିବା ଦୋଷରୁ ପ୍ରକୃତ କଥା ପ୍ରକାଶ ପାଇଗଲା । ଅଥବା ଯଥାର୍ଥରେ କୁହାଯାଇଅଛି–

 

ଶୁକ ଓ ଶାରିକା ନିଜ ମୁଖଦୋଷରୁ (ଅର୍ଥାତ୍‌ ମନୁଷ୍ୟ ପରି କଥା କହିପାରୁଥିବାରୁ) ଧରା ହୁଅନ୍ତି; କିନ୍ତୁ (ମୌନ ରହୁଥିବାରୁ) ବକକୁ କେହି ଧରିବାକୁ ଯାଆନ୍ତି ନାହିଁ । ମୌନ ରହିବାଦ୍ୱାରା ସମସ୍ତ ଉଦ୍ଦେଶ୍ୟ ସାଧିତ ହୋଇଥାଏ ।୪୫। ପୁଣି–

 

ସୁଗୁପ୍ତଂ ରକ୍ଷ୍ୟମାଣୋଽପି ଦର୍ଶୟନ୍ଦାରୁଣଂ ବପୁଃ ।

ବ୍ୟାଘ୍ରଚର୍ମପ୍ରତିଚ୍ଛନ୍ନୋ ବାକ୍‌କୃତେ ରାସଭୋ ହତଃ ।୪୬।

 

ଉତ୍ତମରୂପେ ରକ୍ଷିତ, ବ୍ୟାଘ୍ରଚର୍ମଦ୍ୱାରା ଆଚ୍ଛାଦିତ ଗର୍ଦ୍ଦଭ ଭୟଙ୍କର ଶରୀର ଦେଖାଇଲେ ସୁଦ୍ଧା କଥା କହିବା ହେତୁରୁ ନିହତ ହୋଇଥିଲା । ୪୬ ।

 

କୁମ୍ଭୀର କହିଲା, ‘‘ସେ (ଗର୍ଦ୍ଦଭ) କଥା କଅଣ ?’’

 

ବାନର କହିଲା–

 

କଥା–୮

 

କୌଣସି ସ୍ଥାନରେ ଶୁଦ୍ଧପଟ ନାମରେ ଜଣେ ରଜକ ବାସ କରୁଥିଲା । ତାହାର ଗୋଟିଏ ଗର୍ଦ୍ଦଭ ଥିଲା । ସେ ଗର୍ଦ୍ଦଭଟି ଘାସର ଅଭାବରୁ ଅତି ଦୁର୍ବଳ ହୋଇଗଲା । ଥରେ ରଜକ ବନମଧ୍ୟରେ ଭ୍ରମଣ କରୁ କରୁ ଗୋଟିଏ ମୃତ ବ୍ୟାଘ୍ର ଦେଖି ମନେ ମନେ ବିଚାରିଲା, ‘‘ବେଶ୍‌ ଭଲ ହେଲା । ଗର୍ଦ୍ଦଭକୁ ଏହି ବ୍ୟାଘ୍ରର ଚର୍ମରେ ଆବୃତ କରି ରାତ୍ରିରେ ଯବକ୍ଷେତ୍ରରେ ଛାଡ଼ିଦେବି । ତାହାହେଲେ ନିକଟବର୍ତ୍ତୀ କ୍ଷେତ୍ରପାଳମାନେ ତାକୁ ବ୍ୟାଘ୍ର ମନେକରି ତଡ଼ିଦେବେ ନାହିଁ ।

 

ସେହିପରି କରାଯିବାରୁ ଗର୍ଦ୍ଦଭ ରାତ୍ରିରେ ଯଥେଚ୍ଛା ଯବ ଭକ୍ଷଣ କରିବାକୁ ଲାଗିଲା । ପ୍ରତିଦିନ ସକାଳେ ରଜକ ତାକୁ ପୁଣିନିଜ ଘରକୁ ନେଇଯାଉଥିଲା । ଏହିପରି କିଛିଦିନ ଭିତରେ ଗର୍ଦ୍ଦଭ ସ୍ଥୂଳଶରୀର ହୋଇଗଲା । ଅତି କଷ୍ଟରେ ତାକୁ ବନ୍ଧନସ୍ଥାନକୁ ନେବାକୁ ପଡ଼ୁଥିଲା ।

 

ଦିନେ ସେହି ମଦମତ୍ତ ଗର୍ଦ୍ଦଭ ଦୂରରୁ ଗୋଟିଏ ଗର୍ଦ୍ଦଭୀର ରାବ ଶୁଣିଲା । ତାହା ଶୁଣିଲାମାତ୍ରେ ସେ ନିଜେ ରାବିବାକୁ ଆରମ୍ଭ କଲା । ତହୁଁ କ୍ଷେତ୍ରପାଳମାନେ ତାହାକୁ ଗୋଟିଏ ବ୍ୟାଘ୍ରଚର୍ମାଚ୍ଛାଦିତ ଗର୍ଦ୍ଦଭ ବୋଲି ଜାଣିପାରି ଯଷ୍ଟି, ଲୋଷ୍ଟ୍ର, ଶର ପ୍ରଭୃତି ଦ୍ୱାରା ପ୍ରହାର କରି ତାକୁ ମାରିପକାଇଲେ । ତେଣୁ ମୁଁ କହୁଥିଲି–ସୁଗୁପ୍ତଂ ରକ୍ଷମାଣୋଽପି.....ଇତ୍ୟାଦି ।

 

ତତ୍‌ କିଂ ଶ୍ୟାମଳକବଦିତ୍ୟପମାନସହନାଦର୍ଦ୍ଧଚନ୍ଦ୍ରଦାନେନ ଯାସ୍ୟାସି ।

 

ତେବେ ତୁ ଶ୍ୟାମଳକ ଭଳି ଅପମାନ ସହି ସହି ଶେଷକୁ ଅର୍ଦ୍ଧଚନ୍ଦ୍ର ଦ୍ୱାରା ହିଁ ଯିବୁ ।’’

 

କୁମ୍ଭୀର କହିଲା, ‘‘ସେ (ଶ୍ୟାମଳକ) କଥା କଅଣ ?’’

 

ବାନର କହିଲା–

 

କଥା-୯

 

ଏ ଧରାତଳରେ ବିକଣ୍ଟକ ନାମରେ ଗୋଟିଏ ନଗର ଅଛି । ସେଠାରେ ଈଶ୍ୱର ନାମକ ଜଣେ ଅତି ଧନଶାଳୀ ବଣିକ ବାସ କରୁଥିଲା । ଅବନ୍ତୀ ନଗରୀରୁ ତାହାର ଚାରିଜଣ ଜାମାତା ଅତିଥିରୂପେ ଆସି ବିକଣ୍ଟକ ପୁରରେ ଉପସ୍ଥିତ ହେଲେ । ବଣିକ ଭୋଜନ ବସ୍ତୁ ପ୍ରଭୃତି ନେଇ ସେମାନଙ୍କୁ ବିଶେଷ ଗୌରବ ସହକାରେ ଅଭ୍ୟର୍ଥନା କଲା । ସେମାନେ ଏହିପରି ସେଠାରେ ରହିବାର ଛଅମାସ ହୋଇଗଲା । ଈଶ୍ୱର ତାର ଭାର୍ଯ୍ୟାକୁ କହିଲା, ‘‘ଏ ଜ୍ୱାଇଁମାନେ ଅତ୍ୟନ୍ତ ଗୌରବ ପାଇବାରୁ ଆଉ ନିଜ ଘରକୁ ଯିବାପାଇଁ ମନ କରୁନାହାନ୍ତି । ଏବେ କଅଣ କରିବା ? ଅପମାନ ନ ପାଇଲେ ସେମାନେ ଯିବେ ନାହିଁ । ତେଣୁ ଆଜି ଭୋଜନବେଳେ ପାଦ ଧୋଇବାପାଇଁ ଜଳ ଦେବା ନାହିଁ, ତାହାହେଲେ ଅପମାନ ପାଇ ସେମାନେ ସ୍ଥାନ ଛାଡ଼ି ଚାଲିଯିବେ ।’’

 

ସେହିପରି କରାଯିବାରେ ପାଦ ଧୋଇବାପାଇଁ ଜଳ ନ ଦେବା ଅପାମନରୁ ଗର୍ଗ ଚାଲିଗଲା । ସେହିପରି ଛୋଟ ଆସନ ଦେବାରୁ ସୋମ ଓ କଦର୍ଯ୍ୟ ଭୋଜନ ଦେବାରୁ ଦତ୍ତ ମଧ୍ୟ ଚାଲିଗଲେ । କିନ୍ତୁ ଚତୁର୍ଥ ଜାମାତା ଶ୍ୟାମଳକ ଯେତେବେଳେ ନ ଗଲା, ସେତେବେଳେ ତାକୁ ଅର୍ଦ୍ଧଚନ୍ଦ୍ର ଦେଇ ବିତାଡ଼ିତ କରାଗଲା । ଏହି ହେତୁରୁ ମୁଁ କହୁଥିଲି–

 

ଗର୍ଗୋ ହି ପାଦଶୌଚାଲ୍ଲଘ୍ୱାସନଦାନତୋ ଗତଃ ସୋମଃ ।

ଦତ୍ତଃ କଦଶନଭୋଜ୍ୟାଚ୍ଛ୍ୟାମଳକଶ୍ଚାର୍ଦ୍ଧଚନ୍ଦ୍ରେଣ ।।

 

ପାଦ ଧୋଇବା ଜଳ ଅଭାବରୁ ଗର୍ଗ, କ୍ଷୁଦ୍ର ଆସନ ଦେବାରୁ ସୋମ, ଖରାପ ଭୋଜନ ହେତୁରୁ ଦତ୍ତ ଓ ଅର୍ଦ୍ଧଚନ୍ଦ୍ର (ଗଳାଧକ୍‌କା) ପାଇବାରୁ ଶ୍ୟାମଳକ ଚାଲିଗଲା ।

 

ମୁଁ କଅଣ ରଥକାର ପରି ମୂର୍ଖ ହୋଇଛି ଯେ ତୋର କୁତ୍ସିତ କାର୍ଯ୍ୟକୁ ସ୍ୱୟଂ ଦେଖି ସୁଦ୍ଧା ପୁଣି ତୋତେ ବିଶ୍ୱାସ କରିବି ? କଥିତ ଅଛି–

 

ପ୍ରତ୍ୟକ୍ଷେଽସି କୃତେ ପାପେ ମୂର୍ଖଃ ସାମ୍ନା ପ୍ରଶାମ୍ୟତି ।

ରଥକାରଃ ସ୍ୱକାଂ ଭାର୍ଯ୍ୟାଂ ସଜାରାଂ ଶିରସାବହତ୍‌ ।୪୮।

 

ମୂର୍ଖ ଲୋକ ତା’ ଆଖିଆଗରେ କରାଯାଇଥିବା ପାପକର୍ମ ଦେଖି ମଧ୍ୟ ସନ୍ତୋଷଜନକ ବାକ୍ୟରେ ଶାନ୍ତ ହୋଇଥାଏ । (ଉଦାହରଣ ସ୍ୱରୂପ) ରଥକାର ଜାରପୁରୁଷ ସହିତ ନିଜର ଭାର୍ଯ୍ୟାକୁ ମସ୍ତକ ଉପରେ ଧାରଣ କରିଥିଲା । ୪୮।

 

କୁମ୍ଭୀର ପଚାରିଲା, ‘‘ସେ (ରଥକାର) କଥା କଅଣ ?’’

 

ବାନର କହିଲା–

 

କଥା-୧୦

 

କୌଣସି ସ୍ଥାନରେ ଜଣେ ରଥକାର (ବଢ଼େଇ) ବାସକରୁଥିଲା । ତାହାର ଭାର୍ଯ୍ୟା ବ୍ୟଭିଚାରିଣୀ ବୋଲି ଲୋକଙ୍କ ଭିତରେ ଅପବାଦ ଥିଲା । ସେ ମଧ୍ୟ ତାକୁ ପରୀକ୍ଷା କରିବାପାଇଁ ଚିନ୍ତା କଲା– କିପରି ମୁଁ ଏହାକୁ ପରୀକ୍ଷା କରିବି ? ଏପରି କରିବା ଉଚିତ ନୁହେଁ । କାରଣ–

 

ନଦୀର, ବଂଶର, ମୁନିଙ୍କର, ମହାପୁରୁଷଙ୍କର, ସ୍ତ୍ରୀର ଓ ଦୁରାତ୍ମାମାନଙ୍କର ପରୀକ୍ଷା କରିବା ଅନୁଚିତ ।୪୯।

 

ପରାଶର ମୁନି ବସୁ (ଦେବତାବିଶେଷ)ଙ୍କ ବୀର୍ଯ୍ୟରୁ ଜାତ ମତ୍ସ୍ୟକନ୍ୟା ସତ୍ୟବତୀଙ୍କୁ ସମ୍ଭୋଗ କରିଥିଲେ । ଏହା ଫଳରେ ଜନ୍ମିଥିବା ବ୍ୟାସଦେବ ଶତ ଶତ ଗୁଣର ଆଧାର ଥିଲେ । ଏହି ବ୍ୟାସଦେବ ବେଦମାନଙ୍କର ବିଭାଗ କରିଥିଲେ, କୁରୁବଂଶ ରକ୍ଷାକରିଥିଲେ ଓ ତେଜସ୍ୱୀ ହୋଇପାରିଥିଲେ । ଅହୋ ! କର୍ମର ଗତି ବିଚିତ୍ର ।୫୦।

 

ମହାପୁରୁଷ ପାଣ୍ଡବମାନଙ୍କ କୁଳର ପରୀକ୍ଷା କରିବା ଉଚିତ ନୁହେଁ ।କାରଣ, ସେମାନେ ଥିଲେ କ୍ଷେତ୍ରଜ (ଅନ୍ୟ ପିତାର ଔରସରୁ ଜାତ) । ସ୍ତ୍ରୀମାନଙ୍କର ଚରିତ ଆଲୋଚନା କଲେ ମଧ୍ୟ ସେହିପରି ନାନା ଦୋଷ ପ୍ରକଟିତ ହୁଏ । ଆହୁରି ମଧ୍ୟ–

 

ଯଦି ଅଗ୍ନି ଶୀତଳ ହୋଇପାରେ, ଚନ୍ଦ୍ର ଉଷ୍ଣ ହୋଇପାରନ୍ତି, ଯଦି ଦୁର୍ଜନ ହିତକର ହୋଇପାରେ, ତେବେ ଅବା ସ୍ତ୍ରୀ ସଚ୍ଚରିତ୍ର ହୋଇପାରିବ ।(ଅର୍ଥାତ୍‌ ସ୍ତ୍ରୀମାନେ କଦାପି ସଚ୍ଚରିତ୍ର ହୋଇନପାରନ୍ତି ।) ।୫୧।

 

ତଥାପି ଲୋକଙ୍କ କଥାରୁ ସେ ବତୀ କି ନା ଜାଣିପାରିବି ।

 

କଥିତ ଅଛି–

 

ଯେଉଁ କଥା ବେଦରେ ତଥା ଶାସ୍ତ୍ରରେ ଦେଖା ନ ଥାଏ କି ଶୁଣା ନ ଥାଏ, ତାହା ଯଦି ସଂସାରରେ ଘଟୁଥାଏ, ତେବେ ଲୋକେ ତାହା ଜାଣିଥାନ୍ତି । (ତେଣୁ ମୁଁ ଲୋକଙ୍କ କଥାର ସତ୍ୟତା ପରୀକ୍ଷା କରିବି) ।୫୨।

 

ଏହା ସ୍ଥିର କରି ରଥକାର ତା’ର ସ୍ତ୍ରୀକୁ କହିଲା, ‘‘ପ୍ରିୟେ ! କାଲି ସକାଳୁ ମୁଁ ଅନ୍ୟ ଏକ ଗ୍ରାମକୁ ଯିବି । ସେଠାରେ ମୋତେ କେତେକ ଦିନ ରହିବାକୁ ହେବ । ତେଣୁ ତୁମେ ମୋପାଇଁ କିଛି ପାଥେୟ (ବାଟରେ ଖାଇବାପାଇଁ ଖାଦ୍ୟଦ୍ରବ୍ୟ) ପ୍ରସ୍ତୁତ କରିଦିଅ ।’’ ଏହା ଶୁଣି ତା’ର ସ୍ତ୍ରୀ ଆନନ୍ଦିତା ହୋଇ ଉତ୍ସୁକ ଭାବରେ ଅନ୍ୟ ସବୁକାର୍ଯ୍ୟ ଛାଡ଼ି ଘିଅ, ଗୁଡ଼ ପ୍ରଭୃତିରେ କିଛି ମିଷ୍ଟାନ୍ନ ତିଆରି କଲା । ଯଥାର୍ଥରେ କଥିତ ଅଛି–

 

ଅନ୍ଧକାରମୟ ମେଘାଚ୍ଛନ୍ନ ଦିନରେ, ଦୁର୍ଗମ ସହରଗଳିରେ ଓ ପତିର ବିଦେଶଗମନରେ ବ୍ୟଭିଚାରିଣୀ ସ୍ତ୍ରୀମାନେ ପରମ ସୁଖ ଲାଭ କରିଥାନ୍ତି ।୫୩।

 

ଅନନ୍ତର ପରଦିନ ପ୍ରତ୍ୟୁଷରୁ ରଥକାର ଶଯ୍ୟାରୁ ଉଠି ସ୍ୱଗୃହରୁ ବାହରିଗଲା । ସେ ଚାଲିଯିବାର ଜାଣି ତାହାର ସ୍ତ୍ରୀ ହସହସ ମୁଖରେ ଶରୀରକୁ ସୁସଜ୍ଜିତ କରି କୌଣସିମତେ ଦିନ ବେଳାଟି ଅତିବାହିତ କଲା । ତତ୍ପରେ ପୂର୍ବପରିଚିତ ବିଟପୁରୁଷର ଗୃହକୁ ଯାଇ ତାକୁ ଅଭ୍ୟର୍ଥନା କରି କହିଲା, ‘‘ମୋର ସେ ଦୁଷ୍ଟ ସ୍ୱାମୀ ଅନ୍ୟ ଗୋଟିଏ ଗ୍ରାମକୁ ଗଲାଣି । ତେଣୁ ଲୋକେ ଶୋଇପଡ଼ିଲେ ତୁମେ ଆମ ଘରକୁ ଆସିବ ।’’

 

ଏଣେ ରଥକାର ମଧ୍ୟ ବନମଧ୍ୟରେ ଦିନଟି ଅତିବାହିତ କରି ସନ୍ଧ୍ୟା ସମୟରେ ଅନ୍ୟ ଦ୍ୱାରବାଟେ ନିଜ ଗୃହରେ ପ୍ରବେଶ କରି ଖଟତଳେ ଲୁଚି ରହିଲା । ଏଥି ମଧ୍ୟରେ ସେ (ବିଟପୁରୁଷ) ଦେବଦତ୍ତ ଆସି ଖଟ ଉପରେ ବସିଲା । ତାକୁ ଦେଖି ରଥକାର କ୍ରୋଧାବିଷ୍ଟ ହୋଇ ଚିନ୍ତାକଲା–ଉଠିଯାଇ ଏହାକୁ ମାରିପକାଇବି କି ? ଅଥବା ଦୁହେଁଯାକ ଶୋଇପଡ଼ିଲେ ଦୁହିଙ୍କୁ ହତ୍ୟା କରିବି ?ଆଚ୍ଛା, ସେ (ମୋର ସ୍ତ୍ରୀ) କଅଣ କରୁଛି ଦେଖେ । ତା’ ସଙ୍ଗରେ କଅଣ କଥାବାର୍ତ୍ତା କରୁଛି ଶୁଣେ ।

 

ଏଥି ମଧ୍ୟରେ ସେ ସ୍ତ୍ରୀ ଘରର ବାଟକୁ ଭଲରୂପେ ବନ୍ଦକରି ବିଛଣା ଉପରକୁ ଗଲା । ବିଛଣାକୁ ଉଠିଲାବେଳେ ତା’ର ପାଦ ରଥକାରର ଦେହରେ ବାଜିଲା । ତହୁଁ ସେ ଭାବିଲା–ଏ ନିଶ୍ଚୟ ସେହି ଦୁଷ୍ଟ ରଥକାର, ମୋତେ ପରୀକ୍ଷା କରିବାପାଇଁ ଏଠାରେ ରହିଛି । ତେବେ ମୁଁ ତାକୁ କିଛି ସ୍ତ୍ରୀଚରିତ୍ର (ନାରୀର ଚାତୁରୀ) ଦେଖାଇଦିଏ ।

 

ସେ ଏହିପରି ଚିନ୍ତା କରୁଥିବାବେଳେ ଦେବଦତ୍ତ ତାକୁ ସ୍ପର୍ଶ କରିବାକୁ ଉତ୍ସୁକ ହୋଇଉଠିଲା । ତହୁଁ ରଥକାରର ସ୍ତ୍ରୀ ଦୁଇ ହାତ ଯୋଡ଼ିକରି କହିଲା, ‘‘ହେ ମହାନୁଭବ, ମୋର ଶରୀରକୁ ସ୍ପର୍ଶ କରନାହିଁ । ମୁଁ ପତିବ୍ରତା, ମହାସତୀ ! ନୋଚେତ୍‌ ମୁଁ ତୁମକୁ ଅଭିଶାପ ଦେଇ ଭସ୍ମସାତ୍‌ କରିଦେବି ।’’

 

ଦେବଦତ୍ତ କହିଲା, ‘‘ଯଦି ଏପରି କଥା, ତେବେ ମୋତେ ଡାକି ଆଣିଲ କାହିଁକି ?’’ ସେ କହିଲା, ‘‘ମନ ଦେଇ ମୋ କଥା ଶୁଣ । ଆଜି ସକାଳେ ଦେବୀ ଦର୍ଶନପାଇଁ ମୁଁ ଚଣ୍ଡୀଙ୍କ ମନ୍ଦିରକୁ ଯାଇଥିଲି । ସେଠାରେ ଅକସ୍ମାତ୍‌ ଆକାଶବାଣୀ ହେଲା–‘ପୁତ୍ରି ! କଅଣ କରିବି ? ତୁ ହେଉଛୁ ମୋର ଭକ୍ତ । ଦୈବଯୋଗରୁ ଛଅମାସ ମଧ୍ୟରେ ତୁ ବିଧବା ହେବୁ ।’

 

ତହୁଁ ମୁଁ କହିଲି–‘ଦେବି ! ତୁମେ ଯେପରି ମୋର ଏହି ବିପଦ କଥା ଜାଣିଛ, ସେହିପରି ତା’ର ପ୍ରତିକାର ମଧ୍ୟ ଜାଣିଥିବ । ମୋର ପତି କିପରି ଶତାୟୁ ହେବେ ସେ ଉପାୟ କିଛି ଅଛି କି ?’ ତତ୍ପରେ ଦେବୀ କହିଲେ, ‘ବତ୍ସେ ! ଉପାୟ ଥିଲେ ମଧ୍ୟ ନାହିଁ । କାରଣ, ସେ ପ୍ରତିକାରଟି ତୋର ଅଧୀନ ।’ ତାହା ଶୁଣି ମୁଁ କହିଲି, ‘ଦେବି ! ମୋର ଜୀବନଦ୍ୱାରା ଯାହା କରିହେବ, ଆଦେଶ ଦେଲେ ତାହା ମୁଁ ନିଶ୍ଚୟ କରିବି ।’

 

ତହୁଁ ଦେବୀ କହିଲେ, ‘ଯଦି ଆଜି ପରପୁରୁଷ ସହିତ ଏକ ଶଯ୍ୟାରେ ବସି ତାକୁ ଆଲିଙ୍ଗନ କରିବୁ, ତେବେ ତୋ ସ୍ୱାମୀର ଅପମୃତ୍ୟୁ ତା’ ଦେହକୁ ଯିବ; ତୋର ସ୍ୱାମୀ ଶହେବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିବ ।’ ଏହି କାରଣରୁ ମୁଁ ତୁମକୁ ଡାକି ଆଣିଛି । ଏବେ ତୁମର ଯାହା ଇଚ୍ଛା ତାହା କର । ନୋହିଲେ ଦେବତାଙ୍କ ବଚନ କେବେହେଁ ଅନ୍ୟଥା ହେବନାହିଁ । ତେଣୁ ତୁମର ଯାହା କରିବାର ଇଚ୍ଛା, ତାହା କର ନ ହେଲେ ଦେବତାଙ୍କ କଥା ଅନ୍ୟଥା ହେବା ନିଶ୍ଚିତ । ତତ୍ପରେ ଦେବଦତ୍ତ ମନେ ମନେ ହସି ପ୍ରସନ୍ନ ମୁଖରେ ଯାହା ଉଚିତ, ତାହା କଲା ।

 

ମୂର୍ଖ ରଥକାର ଭାର୍ଯ୍ୟାର ଏହି କଥାଗୁଡ଼ିକ ଶୁଣି ରୋମାଞ୍ଚିତ ଶରୀରରେ ଖଟତଳୁ ବାହାରିଆସି ତାକୁ କହିଲା, ‘‘ହେ ପତିବ୍ରତେ ! ତୁମେ ଧନ୍ୟ । ହେ କୁଳବତି ! ତୁମେ ଧନ୍ୟ । ମୁଁ ଦୁଷ୍ଟ ଲୋକଙ୍କ କଥାରେ ସନ୍ଦେହ କରି ତୁମକୁ ପରୀକ୍ଷା କରିବାପାଇଁ ଗ୍ରାମାନ୍ତରକୁ ଯିବାର ଛଳନା କରି ଚୁପ୍‌ କରି ଖଟତଳେ ଲୁଚି ରହିଥିଲି । ଆସ, ମୋତେ ଆଲିଙ୍ଗନ କର । ପତିବ୍ରତା ନାରୀମାନଙ୍କ ମଧ୍ୟରେ ତୁମର ସ୍ଥାନ ପ୍ରଧାନ ।କାରଣ ପରପୁରୁଷ ସହିତ ରହି ମଧ୍ୟ ତୁମେ ଏପରି ବ୍ରହ୍ମବ୍ରତ ପାଳନ କରିଅଛ; ମୋର ଆୟୁବୃଦ୍ଧି ଓ ଅପମୃତ୍ୟୁ ନିବାରଣ ନିମନ୍ତେ ତୁମେ ଏହା କରିଅଛ-।’’

 

ଏହା କହି ସେ ଅତି ସ୍ନେହରେ ଭାର୍ଯ୍ୟାକୁ ଆଲିଙ୍ଗନ କଲା । ତତ୍ପରେ ତାକୁ ନିଜ କାନ୍ଧରେ ବସାଇ ଦେବଦତ୍ତକୁ କହିଲା, ‘‘ହେ ମହାନୁଭବ ! ମୋର ପୁଣ୍ୟବଳରୁ ତୁମେ ଏଠାକୁ ଆସିଛ । ତୁମ ପ୍ରସାଦରୁ ମୁଁ ଆଜି ଶତବର୍ଷ ପରମାୟୁ ପାଇଛି । ତେଣୁ ତୁମେ ମଧ୍ୟ ମୋତେ ଆଲିଙ୍ଗନ କରି ମୋର କାନ୍ଧରେ ବସ ।’’ ଦେବଦତ୍ତର ଅନିଚ୍ଛାସତ୍ତ୍ୱେ ସେ ବଳପୂର୍ବକ ତାକୁ ଆଲିଙ୍ଗନ କରି କାନ୍ଧରେ ବସାଇଲା । ତତ୍ପରେ ତର୍ଯ୍ୟଧ୍ୱନିର ଛନ୍ଦରେ ନାଚି ନାଚି ସେ ସମସ୍ତଙ୍କ ଗୃହଦ୍ୱାରରେ ବୁଲିଲା । ଏହିହେତୁ ମୁଁ କହୁଥିଲି–ପ୍ରତ୍ୟଽକ୍ଷେପି କୃତେ ପାପେ...ଇତ୍ୟାଦି ।

 

ରେ ମୂର୍ଖ ! ତୋର ଦୁଷ୍ଟ ବୁଦ୍ଧି ମୁଁ ଦେଖିସାରିଛି । ତେଣୁ ତୋ ଘରକୁ ପୁଣି ଯିବି କିପରି-? ଅଥବା ତୁ ଯେ ମୋତେ ବିଶ୍ୱାସ ଦେଖାଉଛୁ ସେଥିରେ ତୋର ଦୋଷ ନାହିଁ; କାରଣ, ତୋର ଜାତି ସ୍ୱଭାବତଃ ଦୁଷ୍ଟ; ଶିଷ୍ଟ ସଂସର୍ଗରେ ମଧ୍ୟ ସେ ସ୍ୱଭାବ ଭଲ ହୁଏନାହିଁ । ଅଥବା ଏହାହିଁ ହେଉଛି ଦୁଷ୍ଟମାନଙ୍କର ସ୍ୱଭାବ । କଥିତ ଅଛି–

 

ଅଙ୍ଗାରକୁ ଯେତେ ଘଷିଲେହେଁ ତାହା ଯେପରି ଶୁଭ୍ର ହୁଏ ନାହିଁ, ସେହିପରି ଦୁଷ୍ଟପ୍ରକୃତିକ ଓ ପାପକର୍ମରେ ନିରତ ପୁରୁଷ ସାଧୁ ଲୋକଙ୍କଠାରୁ ଯେତେ ଉପଦେଶ ପାଇଲେହେଁ ଶିଷ୍ଟ ହୁଏନାହିଁ ।୫୪।

 

ତେଣୁ ହେ ମୂର୍ଖ ! ରମଣୀ ଭାର୍ଯ୍ୟାର ବଶବର୍ତ୍ତୀ ହୋଇ ଯେଉଁମାନେ ତୋହଭଳି ହୁଅନ୍ତି, ସେମାନେ ସେହି ନାରୀପାଇଁ ନିଜର କାର୍ଯ୍ୟ, ବିଭବ ଓ ମିତ୍ରକୁ ମଧ୍ୟ ତ୍ୟାଗ କରିଥାନ୍ତି । କଥିତ ଅଛି–

 

ଯା ମମୋଦ୍‌ବିଜତେ ନିତ୍ୟଂ ସାଦ୍ୟ ମାମବଗୂହତେ ।

ପ୍ରିୟକାରକ ! ଭଦ୍ରଂ ତେ ଯନ୍ମମାସ୍ତି ହରସ୍ୱ ତତ୍‌ ।୫୫।

 

ମୋର ଯେଉଁ ପତ୍ନୀ ମୋତେ ସର୍ବଦା ଘୃଣା କରିଆସୁଥିଲା, ଆଜି ସେ ମୋତେ ଆଲିଙ୍ଗନ କରୁଅଛି । ହେ ମୋର ହିତକାରକ ! ତୁମର ମଙ୍ଗଳ ହେଉ, ମୋର ଯାହା କଛି ଅଛି; ତାହା ହରଣ କରିଦିଅ । ୫୫ ।

 

କୁମ୍ଭୀର କହିଲା, ‘‘ସେ କଥା କଅଣ ?’’

 

ବାନର କହିଲା–

 

କଥା-୧୧

 

କୌଣସି ନଗରରେ କାମାତୁର ନାମରେ ଜଣେ ବୃଦ୍ଧ ବଣିକ ବାସ କରୁଥିଲା । ତାହାର ଭାର୍ଯ୍ୟା ମୃତ୍ୟୁ ହେବାରୁ ସେ ମନେ ମନେ ଭୋଗବାସନାରେ ପୀଡ଼ିତ ହୋଇ ପ୍ରଭୂତ ଧନ ଦେଇ ଜଣେ ବଣିକର କନ୍ୟାକୁ ବିବାହ କଲା । କିନ୍ତୁ ସେ ଦୁଃଖାଭିଭୂତା ହୋଇ ସେହି ବୃଦ୍ଧ ବଣିକକୁ ଚାହିଁବାପାଇଁ ସୁଦ୍ଧା ଇଚ୍ଛା କଲାନାହିଁ । ଯଥାର୍ଥରେ କୁହାଯାଇଅଛି–

 

ମନୁଷ୍ୟର ମସ୍ତକସ୍ଥିତ କେଶର ଶୁକ୍ଳତା ହେଉଛି ତା’ର ଅପମାନର ଚିହ୍ନ । ଚାଣ୍ଡାଳର କୂପ ଉପରେ ଅସ୍ଥିଖଣ୍ଡ ଦେଖି ତାକୁ ତ୍ୟାଗ କଲା ପରି ତରୁଣୀମାନେ ଶୁକ୍ଳ କେଶକୁ ଦେଖିଲେ ସେ ମନୁଷ୍ୟକୁ ତ୍ୟାଗକରି ଦୂରକୁ ଚାଲିଯାନ୍ତି । ୫୬। ପୁଣି-

 

ଜରାଗ୍ରସ୍ତ ଲୋକର ଶରୀର ସଂକୁଚିତ ହୋଇଯାଏ; ଗତି ବିକଳ ହୁଏ; ଦାନ୍ତ ପଡ଼ିଥାଏ; ଦୃଷ୍ଟି ଅସ୍ଥିର ହୋଇଯାଏ; ରୂପ ତୁଟିଯାଏ, ମୁଖରୁ ଲାଳ ସ୍ରବେ । ବାନ୍ଧବମାନେ ତାକୁ କଥା କହନ୍ତି ନାହିଁ; ପତ୍ନୀ ତା’ର ଶୁଶ୍ରୂଷା କରେନାହିଁ; ପୁତ୍ରମାନେ ମଧ୍ୟ ତାକୁ ଘୃଣା କରନ୍ତି । ହାୟ ! କି ଦୁଃଖର ବିଷୟ ! ।୫୭।

 

ଅନନ୍ତର ଏକ ସମୟରେ ସେ ବିମୁଖ ହୋଇ ପତି ସହିତ ଏକ ଶୟନରେ ଥିବା ସମୟରେ ତା’ର ଗୃହରେ ଚୋର ପ୍ରବେଶ କଲା । ସେ ଚୋରକୁ ଦେଖି ଭୟରେ ବ୍ୟାକୁଳ ହୋଇ ସେହି ବୃଦ୍ଧ ପତିକୁ ଗାଢ଼ ଭାବରେ ଆଲିଙ୍ଗନ କଲା । ବଣିକ ମଧ୍ୟ ବିସ୍ମୟରେ ସର୍ବାଙ୍ଗରେ ରୋମାଞ୍ଚ ଲାଭ କରି ଚିନ୍ତା କଲା–ଅହୋ, ଏ ଆଜି କାହିଁକି ମୋତେ ଆଲିଙ୍ଗନ କରୁଛି ? ଏ ତ ଆଶ୍ଚର୍ଯ୍ୟର କଥା । ତତ୍ପରେ ଗୃହର ଚତୁଃପାର୍ଶ୍ୱ ଉତ୍ତମରୂପେ ନିରୀକ୍ଷଣ କରି ଦେଖିଲା ଯେ ଚୋର ଗୃହମଧ୍ୟରେ ପ୍ରବେଶ କରି ଏକ କୋଣରେ ରହିଛି । ସେ ପୁନରାୟ ଚିନ୍ତା କଲା–ନିଶ୍ଚୟ ଚୋରଭୟରୁ ସେ ମୋତେ ଆଲିଙ୍ଗନ କରୁଛି । ଏହା ଜାଣିପାରି ସେ ଚୋରକୁ କହିଲା,

 

‘ଯା ମମୋଦ୍‌ବିଜତେ ନିତ୍ୟଂ ସାଽଦ୍ୟ ମାମବଗୂହତେ ।’

 

ଚୋର ବାହାରି ଯିବାବେଳକୁ ସେ ପୁଣି କହିଲା, ‘‘ହେ ଚୌର ! ପ୍ରତିଦିନ ରାତ୍ରିରେ ତୁମେ ଏଠାକୁ ଆସିବ । ମୋର ଏ ବିଭବ ତୁମର ।’’

 

ଏହି ହେତୁରୁ ମୁଁ ‘ଯା ମମୋଦ୍‌ବିଜତେ ନିତ୍ୟଂ.....ଇତ୍ୟାଦି କହୁଥିଲି । ଅଧିକ କଅଣ କହିବି ? ସେହି ସ୍ତ୍ରୀବଶ ବଣିକ ଚୋରକୁ ତା’ର ସକଳ ସମ୍ପତ୍ତି ଦେଇପକାଇଲା । ରେ କୁମ୍ଭୀର ! ତୁ ମଧ୍ୟ ସେହି ବଣିକ ପରି କାର୍ଯ୍ୟ କରିଛୁ ।

 

ବାନର କୁମ୍ଭୀରକୁ ଏହିପରି କହୁଥିବା ସମୟରେ ଗୋଟିଏ ଜଳଚର ଆସି କୁମ୍ଭୀରକୁ କହିଲା, ‘‘ହେ କୁମ୍ଭୀର; ତୁମର ଭାର୍ଯ୍ୟା ଅନଶନ କରି ରହିଥିଲା; ତୁମ ଯିବାରେ ବିଳମ୍ବ ହେବାରୁ ତୁମେ ତା’ର ପ୍ରେମକୁ ଅପମାନ କରିଛ ବୋଲି ଭାବି ସେ ମରିଯାଇଅଛି ।’’ ତା’ର ବଜ୍ରତୁଲ୍ୟ ଏହି କଥା ଶୁଣି ନିତାନ୍ତ ବ୍ୟାକୁଳ ହୃଦୟରେ ପ୍ରଳାପ କଲା ପରି କହିଲା, ‘ଆହୋ ! ମୁଁ ହତଭାଗ୍ୟ ! ମୋର ଏ କଅଣ ହେଲା ! କଥିତ ଅଛି–

 

ଗୃହକୁ ଗୃହ କୁହାଯାଏ ନାହିଁ; ଭାର୍ଯ୍ୟା ହିଁ ହେଉଛି ଗୃହ । ଯେଉଁ ଗୃହରେ ଗୃହିଣୀ ନ ଥାଏ, ତାହା ଅରଣ୍ୟଠାରୁ ମଧ୍ୟ ହୀନ ।୫୮। ପୁଣି–

 

ଯେଉଁ ସ୍ଥାନରେ ଗୃହିଣୀ ରହିଥାଏ, ଗଛମୂଳ ହୋଇଥିଲେ ହେଁ ତାହା ହେଉଛି ଗୃହ; କିନ୍ତୁ ଗୃହିଣୀହନ ରାଜପ୍ରାସାଦ ମଧ୍ୟ ଅରଣ୍ୟତୁଲ୍ୟ ବିବେଚିତ ହୁଏ ।୫୯।

 

ଯେଉଁ ଲୋକର ଗୃହରେ ମାତା ନ ଥାଏ ଓ ମଧୁରଭାଷିଣୀ ପତ୍ନୀ ନ ଥାଏ, ସେ ଲୋକ ଅରଣ୍ୟକୁ ଚାଲିଯିବା ଉଚିତ, କାରଣ ତା’ ପକ୍ଷରେ ଗୃହ ଯାହା, ଅରଣ୍ୟ ମଧ୍ୟ ତାହା ।୬୦।

 

ଭୋ ମିତ୍ର ! ମୁଁ ତୁମ ପ୍ରତି ଅପରାଧ କରିଛି; ମୋତେ କ୍ଷମା କର । ବର୍ତ୍ତମାନ ମୁଁ ସ୍ତ୍ରୀବିୟୋଗ ହେତୁରୁ ଅଗ୍ନିରେ ପ୍ରବେଶ କରି ପ୍ରାଣତ୍ୟାଗ କରିବି ।’’

 

ତାହା ଶୁଣି ବାନର ଉଚ୍ଚହାସ୍ୟ କରି କହିଲା, ‘‘ମୁଁ ଆଗରୁ ଜାଣିଥିଲି ଯେ ତୁ ସ୍ତ୍ରୀର ବଶବର୍ତ୍ତୀ । ତୋର ସ୍ତ୍ରୀ ତୋତେ ଜୟ କରିଛି । ଏବେ ଏଥିରେ ପୂର୍ଣ୍ଣ ବିଶ୍ୱାସ ହେଲା । ଆରେ ମୂର୍ଖ-! ତୋର ସୁଖ ସମୟରେ ମଧ୍ୟ ତୁ ଦୁଃଖ କରୁଛୁ ! ସେଭଳି ଭାର୍ଯ୍ୟାର ମରଣରେ ତୋର ଆନନ୍ଦଉତ୍ସବ କରିବା ଉଚିତ । ଯେହେତୁ କଥିତ ଅଛି–

 

ଯେଉଁ ଭାର୍ଯ୍ୟାର ଚରିତ୍ର ମନ୍ଦ ଓ ଯିଏ ସର୍ବଦା କଳହ କରିବାକୁ ପ୍ରସ୍ତୁତ ତାହାକୁ ପଣ୍ଡିତମାନେ ଭାର୍ଯ୍ୟାରୂପଧାରୀ ଦାରୁଣ ବାର୍ଦ୍ଧକ୍ୟ ଅବସ୍ଥା ବୋଲି ବୁଝିବାକୁ ହେବ ।୬୧।

 

ଏହି ହେତୁରୁ ସଂସାରରେ ଯେଉଁ ଲୋକ ଆପଣାର ସୁଖ କାମନା କରେ, ସେ ସକଳ ପ୍ରକାର ନାରୀର ସଂସର୍ଗ ତ ଦୂରର କଥା, ନାମ ସୁଦ୍ଧା ପରିତ୍ୟାଗ କରିବା ଉଚିତ ।୬୨।

 

ସ୍ତ୍ରୀମାନଙ୍କର ଅନନ୍ତରେ ଯାହା ଥାଏ, ଜିହ୍ୱାରେ ତାହା ନ ଥାଏ; ଜିହ୍ୱାରେ ଯାହା ଥାଏ, ବାହାରେ ତାହା ନ ଥାଏ (ଅର୍ଥାତ୍‌ ଯାହା କହିବାକୁ ଇଚ୍ଛା ଥାଏ, ତାହା କହନ୍ତି ନାହିଁ); ପୁଣି ଯାହା ବାହାରେ ଥାଏ (ଅର୍ଥାତ୍‌ ଯାହା କହନ୍ତି) ତାହା କାର୍ଯ୍ୟରେ ନ ଥାଏ । (ଅର୍ଥାତ୍‌ ସେମାନଙ୍କର ମନ, ବାକ୍ୟ ଓ କର୍ମରେ ସମତା ନ ଥାଏ ।) ତେଣୁ ସ୍ତ୍ରୀମାନଙ୍କର ଚରିତ୍ର ବିଚିତ୍ର ।୬୩।

 

ଯେଉଁମାନେ ଭ୍ରାନ୍ତ ଧାରଣାର ବଶ ହୋଇ ନାରୀକୁ ମନୋହାରିଣୀ ବୋଲି ମନେ କରନ୍ତି, ସେମାନେ ଅଗ୍ନିରେ ପତଙ୍ଗ ପଡ଼ି ବିନଷ୍ଟ ହେଲାପରି ନିଜେ ବିନଷ୍ଟ ହୁଅନ୍ତି ।୬୪।

 

ନାରୀମାନେ ସ୍ୱଭାବତଃ ଗୁଞ୍ଜାଫଳ ପରି । ସେମାନଙ୍କର ବାହାର ସୁନ୍ଦର କିନ୍ତୁ ଭିତର ବିଷପୂର୍ଣ୍ଣ ।୬୫।

 

ଯଷ୍ଟିର ପ୍ରହାରଦ୍ୱାରା, ଶସ୍ତ୍ରର ଆଘାତଦ୍ୱାରା ଦାନଦ୍ୱାରା ବା ସ୍ତୁତିଦ୍ୱାରା କାହିଁରେ ନାରୀମାନେ ବଶ ହୁଅନ୍ତି ନାହିଁ ।୬୭।

 

ସ୍ତ୍ରୀମାନଙ୍କର ଅନ୍ୟ ଦୁଷ୍ଟତା କଥା ପଛକୁ ଥାଉ, ଏମାନେ ଗର୍ଭରେ ଧାରଣ କରିଥିବା ନିଜର ପୁତ୍ରକୁ ମଧ୍ୟ ବଧ କରନ୍ତି ।୬୭।

 

ମୂର୍ଖ ପୁରୁଷ ନାରୀର ରୁକ୍ଷତାରେ, ସ୍ନେହ ସଦ୍‌ଭାବରେ, କଠୋରତାରେ, ମୃଦୁତାରେ ଓ ନୀରସତାରେ ରସର କଳ୍ପନା କରିଥାଏ ।୬୮।

 

କୁମ୍ଭୀର କହିଲା, ‘‘ଭୋ ମିତ୍ର ! ତାହା ହେଉ; କିନ୍ତୁ ମୁଁ କଅଣ କରିବି ? ମୋର ଦୁଇଟି ବିପଦ ଉପସ୍ଥିତ । ଗୋଟିଏ ହେଉଛି ପତ୍ନୀବିୟୋଗ; ଦ୍ୱିତୀୟତଃ ତୁମ ଭଳି ମିତ୍ରଙ୍କ ସହିତ ମନାନ୍ତର-। ଅଥବା ଦୈବଯୋଗରୁ ଏପରି ହେଉଛି । ଯେହେତୁ କଥିତ ଅଛି–

 

ଯାଦୃଶଂ ମମ ପାଣ୍ଡିତ୍ୟଂ ତାଦୃଶଂ ଦ୍ୱିଗୁଣଂ ତବ ।

ନାଭୂଜ୍ଜାରୋ ନ ଭର୍ତ୍ତା ଚ କିଂ ନିରୀକ୍ଷସି ନଗ୍ନିକେ ।୬୯।

 

ମୋର ଯେପରି ପାଣ୍ଡିତ୍ୟ ଅଛି, ତୁମର ତା’ର ଦୁଇଗୁଣ ଅଛି । ତୁମର ସ୍ୱାମୀ ରହିଲା ନାହିଁ କି (ଜାର) ଉପପତି ରହିଲା ନାହିଁ । ହେ ନଗ୍ନିକେ ! (ବିବସ୍ତ୍ରା ନାରୀ) ତୁମେ କଅଣ ଦେଖୁଛ-?’’ ।୬୯।

 

ବାନର ପଚାରିଲା, ‘‘ସେ କଥା କଅଣ ?’’

 

କୁମ୍ଭୀର କହିଲା–

 

କଥା-୧୨

 

କୌଣସି ଏକ ନଗରରେ ଜଣେ କୃଷକ ଓ ତାହାର ସ୍ତ୍ରୀ ବାସ କରୁଥିଲେ । କୃଷକର ବୃଦ୍ଧାବସ୍ଥା ହେତୁରୁ ତା’ର ସ୍ତ୍ରୀ ସର୍ବଦା ଅନ୍ୟ ପୁରୁଷକୁ ମନ କରି କେବେହେଲେ ଘରେ ସ୍ଥିର ହୋଇ ରହିପାରୁନଥିଲା, କେବଳ ପରପୁରୁଷ ଅନ୍ୱେଷଣ କରି କରି ବୁଲୁଥିଲା । ଥରେ ଜଣେ ପରଧନାପହାରୀ ଧୂର୍ତ୍ତ ତାହାକୁ ଦେଖି ଏକାନ୍ତରେ କହିଲା, ‘‘ହେ ସୁଭଗେ-! ମୋର ଭାର୍ଯ୍ୟା ମରିଯାଇଛି । ତୋତେ ଦେଖି ମୁଁ କାମପୀଡ଼ିତ ହୋଇଅଛି । ତୁ ମୋତେ ସୁରତି ଦାନକର ।’’

 

ତହୁଁ କୃଷକପତ୍ନୀ କହିଲା, ‘‘ହେ ସୁଭଗ ! ଯଦି ଏପରି କଥା, ତେବେ ମୋ ସ୍ୱାମୀର ପ୍ରଭୂତ ଧନ ଅଛି । ବାର୍ଦ୍ଧକ୍ୟ ହେତୁରୁ ସେ ଚାଲିବାକୁ ମଧ୍ୟ ଅସମର୍ଥ । ତେଣୁ ମୁଁ ସେହି ଧନକୁ ଆଣି ଆସିବି । ତାହାହେଲେ ତୁମ ସାଥିରେ ଅନ୍ୟ ସ୍ଥାନକୁ ଯାଇ ଯଥେଚ୍ଛା ରତିସୁଖ ଅନୁଭବ କରିପାରିବି-।’’

 

ଧୂର୍ତ୍ତ କହିଲା, ‘‘ଏ କଥା ମୋତେ ମଧ୍ୟ ଠିକ୍‍ ବୋଧ ହେଉଅଛି । ତେଣୁ ପ୍ରଭାତ କାଳରେ ଶୀଘ୍ର ଏହି ସ୍ଥାନକୁ ଆସିବୁ । ଯେ କୌଣସି ସୁଖକର ନଗରକୁ ଯାଇ ତୋର ସଙ୍ଗରେ ଜୀବନକୁ ସଫଳ କରିପାରିବି ।’’

 

କୃଷକପତ୍ନୀ ଆସିବ ବୋଲି ପ୍ରତିଜ୍ଞା କରି ହସ ହସ ମୁଖରେ ନିଜ ଘରକୁ ଗଲା ଓ ରାତ୍ରିରେ ସ୍ୱାମୀ ଶୋଇପଡ଼ନ୍ତେ ଘରୁ ସକଳ ଧନ ଆଣି ପ୍ରଭାତ କାଳରେ ପୂର୍ବୋକ୍ତ ସ୍ଥାନରେ ପହଞ୍ଚିଲା । ଧୂର୍ତ୍ତ ମଧ୍ୟ ତାହାକୁ ଆଗରେ ରଖି ଖୁବ୍‌ ବେଗରେ ଦକ୍ଷିଣ ଦିଗକୁ ଚାଲିଲା ।

 

ଏହିପରି ସେ ଦୁହେଁ ଯୋଜନ ପଥ ଯିବା ପରେ ଗୋଟିଏ ନଦୀ ପଡ଼ିଲା । ନଦୀକୁ ଦେଖି ଧୂର୍ତ୍ତ ମନେ ମନେ ଚିନ୍ତାକଲା–ଏ ସ୍ତ୍ରୀ ତା’ର ଯୌବନର ଶେଷ ସୀମାରେ ଉପସ୍ଥିତ; ଏହାକୁ ନେଇ କ’ଣ କରିବି ? ପୁଣି ଯଦି କେବେ କେହି ଏହାର ପଛେ ପଛେ ଆସେ, ତେବେ ମହାନ୍‌ ଅନର୍ଥ ହେବ । ତେଣୁ କେବଳ ଏହାର ଧନ ନେଇ ପଳାଇବି । ଏହିପରି ସ୍ଥିରକରି ସେ ତାକୁ କହିଲା, ‘‘ପ୍ରିୟେ ! ଏ ବୃହତ୍‌ ନଦୀକୁ ପାର ହେବା ଅତି କଠିନ । ତେଣୁ ମୁଁ ଜିନିଷଗୁଡ଼ିକ ନେଇ ଆରପାରିରେ ରଖି ଫେରିଆସିବି । ତତ୍ପରେ ତୁମକୁ ପିଠିରେ ବସାଇ ସହଜରେ ପାର କରାଇଦେବି ? ସେ କହିଲା, ‘‘ହେ ସୁଭଗ, ତାହାହିଁ କର ।’’ ଏହା କହି ସେ ସେହି ବିପୁଳ ଧନକୁ ତାକୁ ଦେଲା । ତତ୍ପରେ ଧୂର୍ତ୍ତ କହିଲା, ‘‘ଭଦ୍ରେ ! ତୁମର ପରିଧାନ ଓ ଆଚ୍ଛାଦାନ ବସ୍ତ୍ର ମଧ୍ୟ ଦେଇପକାଅ । ତାହାହେଲେ ତୁମେ ନିର୍ଭୟରେ ଜଳମଧ୍ୟରେ ଯାଇପାରିବ । ସେ ତାହା କରନ୍ତେ ଧୂର୍ତ୍ତ ସମସ୍ତ ଧନ ଓ ବସ୍ତ୍ର ଦୁଇଟିକୁ ଘେନି ନିଜର ଅଭିଳଷିତ ସ୍ଥାନକୁ ଚାଲିଗଲା । ଏଣେ ହାତ ଦୁଇଟିକୁ ଗଳା ଉପରେ ରଖି ଉଦବେଗ ସହକାରେ ନଦୀ ତୀରରେ ସେ (କୃଷକପତ୍ନୀ) ବସି ରହିଲା ।
 

ଏହି ସମୟରେ ଗୋଟିଏ ଶୃଗାଳୀ ମୁହଁରେ ଖଣ୍ଡିଏ ମାଂସ ଧରି ସେଠାରେ ପହଞ୍ଚିଲା । ସେ ଆସି ଦେଖିଲା ଯେ ଗୋଟିଏ ବଡ଼ ମାଛ ପାଣିରୁ ଉଠିଆସି କୂଳରେ ପଡ଼ିଛି । ଏହାକୁ ଦେଖି ଶୃଗାଳୀ ମାଂସ ଖଣ୍ଡିକ ପକାଇଦେଇ ମାଛକୁ ଧରିବାପାଇଁ ତା’ ଆଡ଼କୁ ଦୌଡ଼ିଲା । ଏହି ସମୟରେ ଗୋଟିଏ ଗୃଧ୍ର ଆକାଶରୁ ଖସିପଡ଼ି ମାଂସଖଣ୍ଡି ଧରି ପୁଣି ଆକାଶକୁ ଉଡ଼ିଗଲା । ମାଛଟି ମଧ୍ୟ ଶୃଗାଳୀକୁ ଦେଖି ନଦୀ ଭିତରକୁ ପଶିଗଲା । ଶୃଗାଳୀର ସବୁ ଶ୍ରମ ବୃଥା ହେଲା । ସେ ଗୃଧ୍ର ଆଡ଼କୁ ଚାହିଁ ରହିଲା । ଉଲଗ୍ନ ହୋଇ ବସିଥିବା କୃଷକପତ୍ନୀ ହସି ହସି ଶୃଗାଳୀକୁ କହିଲା–

 

ଗୃଧ୍ରେଣାପହୃତଂ ମାଂସଂ ମତ୍ସ୍ୟୋଽପି ସଲିଳଂ ଗତଃ

ମତ୍ସ୍ୟମାଂସ ପରିଭ୍ରଷ୍ଟେ କିଂ ନିରୀକ୍ଷସି ଜମ୍ବୁକେ ।୭୦।

 

ଗୃଧ୍ର ମାଂ ନେଇଗଲା; ମାଛଟି ପାଣିକୁ ଚାଲିଗଲା । ହେ ଶୃଗାଳି ! ମାଂସ ଓ ମାଛ ଉଭୟରୁ ବଞ୍ଚିତ ହୋଇ ତୁ କାହାକୁ ଚାହୁଁଛୁ ? ।୭୦।

 

ଏହା ଶୁଣି ଶୃଗାଳିକା ତାକୁ ପତି, ଧନ ଓ ଜାର ପୁରୁଷ–ଏ ସବୁଥିରୁ ପରିଭ୍ରଷ୍ଟ ହୋଇଥିବାର ଦେଖି ଉପହାସ କରି କହିଲା ‘ଯାଦୃଶଂ ମମ ପାଣ୍ଡିତ୍ୟଂ’.....ଇତ୍ୟାଦି ।

 

କୁମ୍ଭୀର ଏହି କଥା କହୁଥିବା ସମୟରେ ପୁଣି ଅନ୍ୟ ଗୋଟିଏ ଜଳଚର ଆସି ଜଣାଇଲା–‘‘ତୁମର ଘରକୁ ମଧ୍ୟ ଅନ୍ୟ ଏକ ବୃହତ୍‌ କୁମ୍ଭୀର ଆସି ଅଧିକାର କଲାଣି ।’’ ଏହା ଶୁଣି ସେ ନିତାନ୍ତ ଦୁଃଖିତ ହୋଇ ତାକୁ ନିଜ ଗୃହରୁ ବିତାଡ଼ିତ କରିବାର ଉପାୟ ଚିନ୍ତା କରି କହିଲା, ‘‘ହାୟ ! ମୋର ଦୁର୍ଭାଗ୍ୟକୁ ଦେଖ–

 

ମୋର ମିତ୍ର ଶତ୍ରୁ ହୋଇଗଲା, ମୋର ପତ୍ନୀର ମୃତ୍ୟୁ ହେଲା ଏବଂ ଘରଟିକୁ ମଧ୍ୟ ଅନ୍ୟ ଜଣେ ଅଧିକାର କଲା । ଏବେ ଆହୁରି କଅଣ ହେବ ? ।୭୧। ଅଥବା ଯଥାର୍ଥରେ କଥିତ ଅଛି–

 

ଯେଉଁ ସ୍ଥାନରେ କ୍ଷତ ହୋଇଥାଏ, ସେହି ସ୍ଥାନ ଉପରେ ବାରମ୍ବାର ଆଘାତ ଲାଗିଥାଏ; ଖାଦ୍ୟର ଅଭାବ ବେଳେ ଜଠରାଗ୍ନି ପ୍ରଜ୍ୱଳିତ ହୁଏ । ବିପତ୍ତି ପଡ଼ିଲାବେଳେ ଶତ୍ରୁମାନେ ଦେଖାଦିଅନ୍ତି । ବିଧାତା ବାମ ହେଲେ ମନୁଷ୍ୟର ସବୁପ୍ରକାର ଅନର୍ଥ ଘଟିଥାଏ । ୭୨ ।

 

ତେଣୁ ମୁଁ କଅଣ କରିବି ? ତା’ ସଙ୍ଗେ ଯୁଦ୍ଧ କରିବି କି ? ଅଥବା ଶାନ୍ତିରେ ତାକୁ ବୁଝାଇ ଗୃହରୁ ବାହାର କରାଇଦେବି ? ଅଥବା ଭେଦ ବା ଦାନ ନୀତିର ଆଶ୍ରୟ ନେବି (ଅର୍ଥାତ୍‌ ଅନ୍ୟ ସଙ୍ଗେ ତା’ର ବିରୋଧ ସୃଷ୍ଟି କରି ତାକୁ ବିନାଶ କରିବି ବା ତାକୁ କିଛି ଧନ ଦେଇ ବିଦାୟ ଦେବି) ? ଅଥବା ଏହି ମିତ୍ର ବାନରକୁ ପଚାରିବି ? କଥିତ ଅଛି–

 

ଯେଉଁ ଲୋକ ନିଜଠାରୁ ବଡ଼, ହିତକାରୀ ଓ ପଚାରିବାର ଯୋଗ୍ୟ ଲୋକଙ୍କୁ ପଚାରି କାର୍ଯ୍ୟ କରେ, ତା’ର କୌଣସି କାର୍ଯ୍ୟରେ ବିଘ୍ନ ଘଟେ ନାହିଁ ।୭୩।

 

ଏହିପରି ବିଚାରି ସେ ଜମ୍ବୁବୃକ୍ଷରେ ବସିଥିବା ବାନରକୁ ପୁଣି ପଚାରିଲା–‘‘ମିତ୍ର ! ମୋର ଭାଗ୍ୟ କେଡ଼େ ଖରାପ । ଏବେ ମୋଠାରୁ ଅଧିକ ବଳବାନ୍‌ ଏକ କୁମ୍ଭୀର ମୋର ଘରକୁ ଅଧିକାର କଲାଣି । ସେଥିପାଇଁ ତୁମକୁ ପଚାରିବାକୁ ଆସିଛି । କହ, ମଁ କଅଣ କରିବି ? ଏ ସ୍ଥଳରେ ସାମାଦି ନୀତିମାନଙ୍କ ମଧ୍ୟରୁ କେଉଁଟି ଉପଯୋଗୀ ?’’

 

ବାନର କହିଲା, ‘‘ଆରେ, କୃତଘ୍ନ ! ପାପି ! ମୁଁ ତୋତେ ମନାକଲେ ସୁଦ୍ଧା ତୁ କାହିଁକି ମୋ ପାଖକୁ ପୁଣି ଆସୁଛୁ ? ତୋ’ଭଳି ମୂର୍ଖକୁ ମୁଁ ଉପଦେଶ ସୁଦ୍ଧା ଦେବି ନାହିଁ ।

 

ତାହା ଶୁଣି କୁମ୍ଭୀର କହିଲା, ‘‘ହେ ମିତ୍ର, ମୁଁ ତୁମ ପାଖରେ ଅପରାଧ କରିଛି । ତଥାପି ପୂର୍ବ ସ୍ନେହ ସ୍ମରଣ କରି ମୋତେ ହିତ ଉପଦେଶ ଦିଅ ।’’

 

ବାନର କହିଲା, ‘‘ନା, ମୁଁ ତୋତେ ଉପାୟ କହିବି ନାହିଁ । କାରଣ, ତୁ ଭାର୍ଯ୍ୟାର କଥାରେ ମୋତେ ସମୁଦ୍ରରେ ପକାଇ ମାରିବାକୁ ନେଉଥିଲୁ । ତୋର ଏପରି କରିବା ଉଚିତ ନ ଥିଲା । ଭାର୍ଯ୍ୟା ଅନ୍ୟ ସବୁ ଲୋକଙ୍କଠାରୁ ଅଧିକ ପ୍ରିୟ ହେଲେ ସୁଦ୍ଧା ନିଜର ମିତ୍ର ଓ ବନ୍ଧୁ ବାନ୍ଧବମାନଙ୍କୁ ଭାର୍ଯ୍ୟାର କଥାରେ ସମୁଦ୍ରରେ ପକାଯାଏ ନାହିଁ । ତେଣୁ ରେ ମୂର୍ଖ ! ମୂର୍ଖତା ହେତୁରୁ ତୋର ସର୍ବନାଶ ହେବ ବୋଲି ମୁଁ ପ୍ରଥମରୁ କହିଥିଲି । କାରଣ–

 

ସତାଂ ବଚନମାଦିଷ୍ଟଂ ମଦେନ ନ କରୋତି ଯଃ

ସ ବିନାଶମବାପ୍ନୋତି ଘଣ୍ଟୋଷ୍ଟ୍ର ଇବ ସତ୍ୱରମ୍‌ ।୭୪।

 

ଯେଉଁ ଲୋକ ଅହଙ୍କାରବଶତଃ ସଜ୍ଜନମାନଙ୍କର ଉପଦେଶବାଣୀ ଅନୁସାରେ କାର୍ଯ୍ୟ ନ କରେ, ସେ ଘଣ୍ଟା ବନ୍ଧା ହୋଇଥିବା ଉଷ୍ଟ୍ରପରି ଶୀଘ୍ର ବିନାଶପ୍ରାପ୍ତ ହୁଏ ।’’୭୪।

 

କୁମ୍ଭୀର ପଚାରିଲା, ‘‘ସେ (ଘଣ୍ଟା ବନ୍ଧା ହୋଇଥିବା ଉଷ୍ଟ୍ର) କଥା କଅଣ ?’’

 

ବାନର କହିଲା–

 

କଥା-୧୩

 

କୌଣସି ନଗରରେ ଉଜ୍ଜ୍ୱଳକ ନାମରେ ଜଣେ ରଥକାର (ବଢ଼େଇ) ବାସ କରୁଥିଲା । ନିତାନ୍ତ ଦାରିଦ୍ର୍ୟପୀଡ଼ିତ ହୋଇ ସେ ଚିନ୍ତା କଲା–ଅହୋ ! ମୋ ଘରର ଦାରିଦ୍ର୍ୟକୁ ଧିକ୍‌ ! ସବୁଲୋକେ ନିଜ ନିଜ କାର୍ଯ୍ୟରେ ରତ ହୋଇ ଚଳୁଛନ୍ତି, କିନ୍ତୁ ମୋର ଏ ରଥକାର କାମରେ କି ଲାଭ ?

ଏହିପରି ବିଚାରି ସେ ଦେଶରୁ ବାହାରିଲା । ଯେତେବେଳେ ସେ ଗୋଟିଏ ବନରେ ପହଞ୍ଚିଲା, ସେତେବେଳେ ସେ ସନ୍ଧ୍ୟା ସମୟରେ ଗହ୍ୱର ସଦୃଶ ଘୋର ବନ ମଧ୍ୟରେ ଯୂଥରୁ ଭ୍ରଷ୍ଟ ଓ ପ୍ରସବ ବେଦନାରେ ପୀଡ଼ିତ ଗୋଟିଏ ଉଷ୍ଟ୍ରୀକୁ (ମାଈ ଓଟକୁ) ଦେଖିଲା । ତହୁଁ ସେ ଶାବକ ସହିତ ଉଷ୍ଟ୍ରୀକୁ ନିଜ ଘରକୁ ନେଇଗଲା ଓ ଗୋଟିଏ ରଜ୍ଜୁରେ ତାକୁ ବାନ୍ଧିଦେଲା । ତତ୍ପରେ ଗୋଟିଏ ତୀକ୍ଷ୍‍ଣ କୁଠାର ଧରି ତାହାପାଇଁ ପତ୍ର ଆଣିବାକୁ ପର୍ବତ ନିକଟକୁ ଗଲା । ସେଠାରୁ ବହୁତ ନୂଆ କୋମଳ ପତ୍ର କାଟି ମୁଣ୍ଡରେ ବୁହାଇ ଘରକୁ ଆସିଲା ଓ ସେଗୁଡ଼ିକ ଉଷ୍ଟ୍ରୀ ଆଗରେ ପକାଇଦେଲା । ଉଷ୍ଟ୍ରୀ ଧୀରେ ଧୀରେ ସେଗୁଡ଼ିକ ଖାଇବାକୁ ଲାଗିଲା ।

ପ୍ରତିଦିନ ଏହିପରି ପତ୍ର ଖାଇବା ଫଳରେ ଉଷ୍ଟ୍ରୀର ଶରୀର ମୋଟ ହୋଇଗଲା । ତାର ଶାବକ ମଧ୍ୟ ଗୋଟିଏ ବଡ଼ ଉଷ୍ଟ୍ର ହୋଇଗଲା । ରଥକାର ପ୍ରତିଦିନ ଉଷ୍ଟ୍ରୀର ଦୁଧ ବିକି କୁଟୁମ୍ବ ପୋଷିବାକୁ ଲାଗିଲା । ଅତି ଆଦରର ପାତ୍ର ହୋଇଥିବାରୁ ରଥକାର ସେହି ଉଷ୍ଟ୍ରର ବେକରେ ଗୋଟିଏ ପ୍ରକାଣ୍ଡ ଘଣ୍ଟା ବାନ୍ଧିଦେଲା । ପରେ ସେ ଚିନ୍ତା କଲା–ଅହୋ ! ଅନ୍ୟ ମନ୍ଦ ବ୍ୟବସାୟରେ କି ଲାଭ ? ଏହି ଉଷ୍ଟ୍ରୀ ପାଳନଦ୍ୱାରା ମୋର କୁଟୁମ୍ବ ସୁନ୍ଦରରୂପେ ଚଳୁଛି । ମୋର ଅନ୍ୟ ବ୍ୟବସାୟରେ କି ପ୍ରୟୋଜନ ?

ଏହିପରି ବିଚାରି ରଥକାର ଗୃହକୁ ଆସି ଭାର୍ଯ୍ୟାକୁ କହିଲା, ‘‘ପ୍ରିୟେ, ଏଇ (ଉଷ୍ଟ୍ରପାଳନ) ବ୍ୟବସାୟଟି ଅତି ଉତ୍ତମ । ତୁମର ସମ୍ମତି ଥିଲେ କୌଣସି ଧନୀ ଲୋକଠାରୁ କିଛି ଧନ ନେଇ ଗୁର୍ଜର ଦେଶରୁ ଉଷ୍ଟ୍ରଶାବକ କିଣିବାକୁ ଯିବି । ମୁଁ ଗୋଟିଏ ଉଷ୍ଟ୍ରୀ ଘେନି ଫେରି ଆସିବା ଯାଏ ତୁମେ ଏହି ଦୁଇଟିଙ୍କୁ ଯତ୍ନରେ ରଖିଥିବ ।’’

ତତ୍ପରେ ରଥକାର ଗୁର୍ଜର ଦେଶକୁ ଯାଇ ଗୋଟିଏ ଉଷ୍ଟ୍ରୀ ଘେନି ଘରକୁ ଆସିଲା । ଅଧିକ କହିବାରେ କି ପ୍ରୟୋଜନ ? ସେ ଏହିପରି କରିବାରୁ ତା’ର ଅନେକ ଉଷ୍ଟ୍ର, ଉଷ୍ଟ୍ରୀ ଓ ଉଷ୍ଟ୍ରଶାବକ ହୋଇଗଲେ । ତହୁଁ ସେ ଗୋଟିଏ ପ୍ରକାଣ୍ଡ ଉଷ୍ଟ୍ରଯୂଥ କରି ଜଣେ ରକ୍ଷକ ନିଯୁକ୍ତ କଲା । ତାକୁ ସେ ବେତନ ସ୍ୱରୂପ ପ୍ରତିବର୍ଷ ଗୋଟିଏ ଲେଖାଏଁ ଉଷ୍ଟ୍ରଶାବକ ଦେଉଥିଲା ଓ ପ୍ରତିଦିନ କିଛି ଦୁଧ ମଧ୍ୟ ଦେଉଥିଲା । ଏହିପରି ଉଷ୍ଟ୍ର ଉଷ୍ଟ୍ରଶାବକ ବ୍ୟବସାୟ କରି ସେ ସୁଖରେ ରହିଲା ।

ଉଷ୍ଟ୍ରଶାବକମାନେ ଆହାର ନିମନ୍ତେ ନଗରର ନିକଟବର୍ତ୍ତୀ ବନକୁ ଯାଉଥିଲେ । ସେମାନେ କୋମଳ ଲତାପତ୍ର ଖାଇ ଏକ ବୃହତ୍‌ ସରୋବରରେ ଜଳପାନ କରି ସନ୍ଧ୍ୟାବେଳକୁ ଧୀରେ ଧୀରେ ଖେଳି ଖେଳି ଘରକୁ ଆସୁଥିଲେ । ପ୍ରଥମ ଉଷ୍ଟ୍ରଶାବକଟି ଯୌବନ ମଦରେ ମତ୍ତ ହୋଇ ସମସ୍ତଙ୍କ ପଛରେ ଆସି ଅନ୍ୟମାନଙ୍କ ସହିତ ମିଶୁଥିଲା । ତହୁଁ ସେମାନେ କହିଲେ, ‘‘ଏ ଉଷ୍ଟ୍ରର ବୁଦ୍ଧି ଖରାପ । ଯୂଥ ମଧ୍ୟରୁ ବାହାରିଯାଇ ପଛରେ ରହୁଛି, ଘଣ୍ଟା ବଜାଇ ବଜାଇ ଆସୁଛି । ଯଦି କୌଣସି ହିଂସ୍ରଜନ୍ତୁର ହାବୁଡ଼ରେ ପଡ଼ିବ, ତେବେ ନିଶ୍ଚୟ ମରିବ ।’’

ଅନନ୍ତର ଦିନେ ସେ ବନମଧ୍ୟରେ ଚରୁଥିବା ବେଳେ କୌଣସି ଗୋଟିଏ ସିଂହ ଘଣ୍ଟାର ଶବ୍ଦ ଶୁଣି ସେଠାକୁ ଆସିଲା । ସେ ଦେଖିଲା ଯେ ଉଷ୍ଟ୍ର ଓ ଉଷ୍ଟ୍ରୀମାନଙ୍କର ଗୋଟିଏ ଦଳ ଯାଉଛନ୍ତି-। ଗୋଟିଏ ଉଷ୍ଟ୍ର ପଛରେ ଥାଇ ଖେଳିକୁଦି ଲତାପତ୍ର ଖାଉଥିବାବେଳେ ଅନ୍ୟମାନେ ଜଳପାନ କରି ଗୃହକୁ ଚାଲିଗଲେ । ଉଷ୍ଟ୍ରଟି ବନମଧ୍ୟରୁ ବାହାରିପଡ଼ି ଚାରିଆଡ଼କୁ ଚାହିଁଲା; ମାତ୍ର କୌଣସି ପଥ ଦେଖିପାରିଲାନାହିଁ । ଯୂଥରୁ ଭ୍ରଷ୍ଟ ହୋଇ ସେ ଘଣ୍ଟାର ଶବ୍ଦ କରି କରି କିଛି ଦୂର ଗଲାବେଳକୁ ସିଂହ ସେହି ଶବ୍ଦକୁ ଅନୁସରଣ କରି ଚାଲିଆସି ତା’ ଆଗରେ ଲୁଚି ରହିଲା । ଯେତେବେଳେ ଉଷ୍ଟ୍ର ତା’ ନିକଟକୁ ଆସିଲା, ସେତେବେଳେ ସିଂହ ଡେଇଁପଡ଼ି ତା’ର ଗଳାକୁ ଧରି ମାରିପକାଇଲା ।

ଏହି ହେତୁରୁ ମୁଁ କହୁଥିଲି–

‘ସତାଂ ବଚନମାଦିଷ୍ଟଂ’....ଇତ୍ୟାଦି ।

ଅନନ୍ତର କୁମ୍ଭୀର ଏହା ଶୁଣି କହିଲା, ‘‘ଭଦ୍ର ! ଯେଉଁ ଲୋକ ଉପଦେଶ ଦିଏ ଓ ଅପରର ହିତ କାମନା କରେ, ସେ ଇହଲୋକ ତଥା ପରଲୋକରେ କଷ୍ଟ ପାଏ ନାହିଁ । ୭୫ ।

 

ଏଣୁ ମୁଁ କୃତଘ୍ନ ହୋଇଥିଲେ ମଧ୍ୟ ତୁମେ ମୋତେ ଉପଦେଶ ଦେଇ ଅନୁଗୃହୀତ କର । କଥିତ ଅଛି–

 

ଯେଉଁ ଲୋକ ଉପକାରୀ ଲୋକ ପ୍ରତି ସାଧୁ ବ୍ୟବହାର କରେ ତା’ର ସାଧୁତାରେ କି ବିଶେଷତ୍ୱ ଅଛି ? ଯିଏ ଅପକାରୀ ଲୋକ ପ୍ରତି ସଦ୍‌ବ୍ୟବହାର କରେ, ‘‘ତାକୁ ହିଁ ସଜ୍ଜନମାନେ ଯଥାର୍ଥରେ ସତ୍‌ପୁରୁଷ କହିଥାନ୍ତି ।’’ ।୭୬।

 

ଏହା ଶୁଣି ବାନର କହିଲା, ‘‘ଯଦି ଏପରି କଥା, ତେବେ ଯାଅ, ତାହା ସହିତ ଯୁଦ୍ଧ କର-। କଥିତ ଅଛି–

 

ତୁମେ ଯଦି ଯୁଦ୍ଧରେ ନିହତ ହେବ, ତେବେ ସ୍ୱର୍ଗପ୍ରାପ୍ତ ହେବ । ଯଦି (ବିଜୟୀ ହୋଇ) ଜୀବିତ ରହିବ, ତାହାହେଲେ ଗୃହ ଓ ଯଶ ଲାଭ କରିବ । ଏଣୁ ଯୁଦ୍ଧ କରିବାଦ୍ୱାରା ତୁମେ ଦୁଇଟି ଅତ୍ୟୁତ୍ତମ ଗୁଣ ପ୍ରାପ୍ତ ହୋଇପାରିବ ।୭୭।

 

ଉତ୍ତମଂ ପ୍ରଣିପାତେନ ଶୂରଂ ଭେଦେନ ଯୋଜୟେତ୍‌ ।

ନୀଚମଳ୍ପ ପ୍ରଦାନେନ ସମଶକ୍ତି ପରାକ୍ରମୈଃ ।୭୮।

 

ଉତ୍ତମ ଲୋକକୁ ପ୍ରଣିପାତଦ୍ୱାରା (ନମ୍ରତାଦ୍ୱାରା), ବୀରକୁ ଭେଦଦ୍ୱାରା (ପରସ୍ପର ମଧ୍ୟରେ ବିରୋଧ ଜନ୍ମାଇବାଦ୍ୱାରା), ନୀଚକୁ କିଛି ଦେବାଦ୍ୱାରା ଓ ସମାନଶକ୍ତି ବିଶିଷ୍ଟ ବ୍ୟକ୍ତିକୁ ପରାକ୍ରମଦ୍ୱାରା ବଶ କରିବା ଉଚିତ ।୭୮।

 

କୁମ୍ଭୀର କହିଲା, ‘‘ଏକଥା କିପରି ?’’

 

ବାନର କହିଲା–

 

କଥା-୧୪

 

କୌଣସି ବନପ୍ରଦେଶରେ ମହାଚତୁରକ ନାମରେ ଗୋଟିଏ ଶୃଗାଳ ଥିଲା । ଏକଦା ସେ ଅରଣ୍ୟ ମଧ୍ୟରେ ଦେଖିଲା ଯେ ଗୋଟିଏ ହସ୍ତୀ ସ୍ୱତଃ ମରିପଡ଼ିଛି । ସେ ତାହାର ଚାରିପାଖ ବୁଲି ଦେଖିଲା; କିନ୍ତୁ କୌଣସି ଠାରେ ତା’ର କଠିନ ଚର୍ମକୁ କାଟି ପାରିଲା ନାହିଁ । ଏହି ସମୟରେ ଗୋଟିଏ ସିଂହ ଇତସ୍ତତଃ ଭ୍ରମଣ କରୁ କରୁ ସେହି ସ୍ଥାନରେ ଉପସ୍ଥିତ ହେଲା ।

 

ସିଂହକୁ ଆସିବାର ଦେଖି ସେ ମସ୍ତକକୁ ଭୂମି ଉପରେ ସ୍ଥାପନ କରି, ହାତ ଦୁଇଟିକୁ ଯୋଡ଼ି ବିନୟ ସହକାରେ କହିଲା, ‘‘ହେ ପ୍ରଭୁ, ମୁଁ ଆପଣଙ୍କର ରକ୍ଷାକାରୀ ଭୃତ୍ୟ; ଆପଣଙ୍କପାଇଁ ଏ ହସ୍ତୀଟିକୁ ଜଗି ରଖିଛି । ଏହାକୁ ଭୋଜନ କରନ୍ତୁ ।’’ ପ୍ରଣତ ହୋଇଥିବା ଶୃଗାଳକୁ ଚାହିଁ ସିଂହ କହିଲା, ‘‘ଅନ୍ୟ ଦ୍ୱାରା ନିହତ ହୋଇଥିବା ଜୀବକୁ ମୁଁ କେବେହେଲେ ଖାଏନାହିଁ । ମୁଁ ତୋତେ ଏ ଗଜଟିକୁ ଦାନ କରୁଛି ।’’

 

ଏହା ଶୁଣି ଶୃଗାଳ ଆନନ୍ଦରେ କହିଲା, ଭୃତ୍ୟ ପ୍ରତି ଏପରି ଅନୁଗ୍ରହ ପ୍ରଭୁଙ୍କ ପକ୍ଷରେ ଉପଯୁକ୍ତ । ଯେହେତୁ କଥିତ ଅଛି–

 

ମହାନ୍‌ ପୁରୁଷ ବିପଦର ସୀମାରେ ପହଞ୍ଚିଥିଲେ ସୁଦ୍ଧା ପବିତ୍ରତା ହେତୁରୁ ପ୍ରଭୁଙ୍କର ଯୋଗ୍ୟଗୁଣକୁ ତ୍ୟାଗ କରନ୍ତି ନାହିଁ । ଶଙ୍ଖ ଅଗ୍ନିଦ୍ୱାରା ଭସ୍ମୀଭୂତ ହେଲା ପରେ ମଧ୍ୟ ତା’ର ଶୁକ୍ଳତା ଗୁଣକୁ ତ୍ୟାଗ କରିନଥାଏ ।୭୯।

 

ସିଂହ ଚାଲିଯିବା ପରେ ଗୋଟିଏ ବ୍ୟାଘ୍ର ଆସି ପହଞ୍ଚିଲା । ତାହାକୁ ଦେଖି ଶୃଗାଳ ମନେ ମନେ ଚିନ୍ତାକଲା–ଗୋଟାଏ ଦୁଷ୍ଟକୁ ନମ୍ରତାଦ୍ୱାରା ଦୂର କରିଦେଲି । ଏବେ ଏହାକୁ କିପରି ଦୂର କରିବି ? ନିଶ୍ଚୟ ଏ ହେଉଛି ବୀର; ଭେଦ ବିନା ଏହାକୁ କେବେ ଆୟତ୍ତ କରିହେବ ନାହିଁ । କଥିତ ଅଛି–

 

ଯେଉଁଠାରେ ସାମ ଅଥବା ଦାନ ପ୍ରୟୋଗ କରାଯାଇପାରେ ନାହିଁ, ସେଠାରେ ଭେଦନୀତି ପ୍ରୟୋଗ କରିବା ଉଚିତ, କାରଣ ଭେଦଦ୍ୱାରା ସେ ସହଜେ ବଶ ହୋଇପାରେ ।୮୦।

 

ସକଳ ଗୁଣରେ ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ମନୁଷ୍ୟ ଭେଦଦ୍ୱାରା ବିନଷ୍ଟ ହୋଇପାରେ । କଥିତ ଅଛି–

 

ଅନ୍ତଃସ୍ଥେନ ବିଶୁଦ୍ଧେନ ସୁବୃତ୍ତେନାତିଚାରୁଣା ।

ଅନ୍ତର୍ଭିନ୍ନେନ ସଂପ୍ରାପ୍ତଂ ମୌକ୍ତିକେନାଽପି ବନ୍ଧନମ୍‌ ।୮୧।

 

ଶୁଭ୍ର, ଅଚ୍ଛିଦ୍ର, ଗୋଲାକାର ଓ ଅତି ମନୋହର ମୁକ୍ତାକୁ ଭେଦ (ଛିଦ୍ର) କଲେ ତାହା (ହାରମଧ୍ୟରେ) ବନ୍ଧନରେ ପଡ଼େ । ସେହିପରି ଶୁଦ୍ଧଚରିତ୍ର; ସଦାଚାରୀ, ସୁନ୍ଦର ମୁକ୍ତିକାମୀ ପୁରୁଷ ଭେଦ (ପରମାତ୍ମାଙ୍କଠାରୁ ଭିନ୍ନ ହେବା) ହେତୁରୁ ସଂସାର ବନ୍ଧନରେ ପଡ଼ିଥାନ୍ତି । ।୮୧।

 

ମନ ମଧ୍ୟରେ ଏହା ନିଶ୍ଚୟ କରି ଶୃଗାଳ ବ୍ୟାଘ୍ରର ସମ୍ମୁଖକୁ ଯାଇ, ସ୍କନ୍ଧକୁ ଉନ୍ନତ କରି ବ୍ୟଗ୍ରଭାବରେ କହିଲା, ‘‘ମାମୁଁ, ତୁମେ କାହିଁକି ଏ ଯମମୁହଁକୁ ଆସିଲ ? କାରଣ ସିଂହ ଏ ହସ୍ତୀଟିକୁ ବଧ କରିଅଛି । ମୋତେ ଏଠାରେ ରକ୍ଷକ ରୂପେ ନିଯୁକ୍ତ କରି ସେ ନଦୀରେ ସ୍ନାନ କରିବାକୁ ଯାଇଅଛି । ସେ ଗଲାବେଳେ ମୋତେ କହିଯାଇଛି, ‘‘ଯଦି କୌଣସି ବ୍ୟାଘ୍ର ଏଠାକୁ ଆସେ, ତୁ ଚୁପ୍‌ କରି ମୋତେ କହିଦେବୁ । ମୁଁ ଏ ବନକୁ ବ୍ୟାଘ୍ରଶୂନ୍ୟ କରିବି । କାରଣ ଥରେ ଗୋଟିଏ ବ୍ୟାଘ୍ର ମୁଁ ବଧ କରିଥିବା ଏକ ହସ୍ତୀକୁ ଖାଇ ଉଚ୍ଛିଷ୍ଟ କରିଦେଇଥିଲା । ସେହିଦିନଠାରୁ ମୁଁ ବ୍ୟାଘ୍ରଜାତି ପ୍ରତି କ୍ରୁଦ୍ଧ ହୋଇଅଛି ।’’ ଏହା ଶୁଣି ବ୍ୟାଘ୍ର ନିତାନ୍ତ ତ୍ରସ୍ତ ହୋଇ କହିଲା, ‘‘ଆରେ ଭଣଜା, ମୁଁ ପ୍ରାଣ ଘେନି ପଳାଏଁ । ସେ ଯେତେ ଡେରିରେ ଆସିଲେ ସୁଦ୍ଧା ତାକୁ ମୋ କଥା କିଛି କହିବୁ ନାହିଁ ।’’ ଏହା କହି ସେ ଦ୍ରୁତ ବେଗରେ ପଳାଇଗଲା ।

 

ବ୍ୟାଘ୍ର ଚାଲିଯିବା ପରେ ଗୋଟିଏ (ଦ୍ୱୀପୀ) ଚିତାବାଘ ଆସି ପହଞ୍ଚିଲା । ତାହାକୁ ଦେଖି ଶୃଗାଳ ଚିନ୍ତାକଲା, ‘‘ଏହାର ଦାନ୍ତ ଖୁବ୍‌ ଶକ୍ତ । ତେଣୁ ଏ ଯେପରି ହାତୀର ଚମକୁ ଛିଣ୍ଡାଇବ, ତହିଁର ଉପାୟ କରିବି ।’’ ଏହା ସ୍ଥିର କରି ସେ କହିଲା, ‘‘ହେ ଭଣଜା, ବହୁଦିନପରେ ଦେଖା ହେଲା । ବଡ଼ ଭୋକିଲା ଦିଶୁଛୁ କାହିଁକି ? ଆଜି ତୁ ମୋର ଅତିଥି । ଏ ହାତୀଟିକୁ ସିଂହ ମାରିପକାଇଯାଇଛି । ତା’ ହୁକୁମରେ ମୁଁ ଏହାକୁ ଜଗି ରହିଛି । ତଥାପି ଯେତେବେଳଯାଏ ସିଂହ ଆସି ନ ଥିବ ସେତେବେଳ ପର୍ଯ୍ୟନ୍ତ ତୁ ହାତୀର ମାଂସ ଖାଇ ସନ୍ତୁଷ୍ଟ ହୋଇ ଶୀଘ୍ର ଚାଲିଯିବୁ ।’’ ଚିତାବାଘ କହିଲା, ‘‘ଯେବେ ଏଭଳି କଥା, ତେବେ ମୋର ମାଂସ ଖାଇବାରେ ଦରକାର ନାହିଁ, କାରଣ ପ୍ରାଣ ରହିଥିଲେ, ଶହ ଶହ ସୁଖ ମିଳିପାରିବ । କଥିତ ଅଛି–

 

ଯଚ୍ଛକ୍ୟଂ ଗ୍ରସିତୁଂ ଯସ୍ୟ ଗ୍ରସ୍ତଂ ପରିଣମେଚ୍ଚ ଯତ୍‌ ।

ହିତଂ ଚ ପରିଣାମେ ଯତ୍ତଦାଦ୍ୟଂ ଭୂତିମିଚ୍ଛ୍ୟତ୍ୟ ।।

 

ଯାହା ଖିଆଯାଇ ପାରେ, ଯାହା ଖାଇଲେ ପରିପାକ ହୁଏ ଓ ପରିପାକ ହେଲେ ଯାହା ଦେହକୁ ହିତ କରେ, ନିଜର ଶୁଭ ଇଚ୍ଛା କରୁଥିବା ଲୋକ ତାକୁ ହିଁ ଖାଇବା ଉଚିତ ।

 

‘‘ତେଣୁ ମୁଁ ଯାଉଛି ।’’

 

ଶୃଗାଳ କହିଲା, ‘‘ହେ ଅସ୍ଥିର, ତୁ ନିର୍ଭୟ ହୋଇ ଖାଆ । ସେ ସିଂହର ଆସିବା ଖବର ମୁଁ ଦୂରରୁ ଦେଖି ତୋତେ ଜଣାଇଦେବି ।’’

 

ଚିତାବାଘ ହାତୀକୁ ଖାଇବାପାଇଁ ଗଲା । ସେ ହାତୀର ଚମକୁ ଛିଣ୍ଡାଇଥିବାର ଦେଖି ଶୃଗାଳ କହିଲା, ‘‘ଭଣଜା, ପଳାଇ ଯାଆ । ସେ ସିଂହ ଆସୁଛି ।’’ ତାହା ଶୁଣି ଚିତାବାଘ ଦୂରକୁ ପଳାଇଗଲା ।

 

ଚିତାବାଘ ଯେଉଁଠାରେ ହାତୀ ଚମକୁ ଛିଣ୍ଡାଇଥିଲା, ସେହିଠାରୁ ଶୃଗାଳ କିଛି ମାଂସ ଖାଇଲାବେଳକୁ ଆଉ ଗୋଟିଏ ଶୃଗାଳ କ୍ରୁଦ୍ଧ ହୋଇ ସେଠାରେ ଉପସ୍ଥିତ ହେଲା । ମହାଚତୁରକ ଦେଖିଲା ଯେ ଏ ଶୃଗାଳଟି ବଳପରାକ୍ରମରେ ତାହାର ସମାନ ହେବ । ତହୁଁ ‘ଉତ୍ତମଂ ପ୍ରଣିପାତେନ ଶୂରଂ ଭେଦେନ ଯୋଜୟେତ୍‌’, ଏହା କହି ଆଗନ୍ତୁକ ଶୃଗାଳର ସମ୍ମୁଖୀନ ହୋଇ ନିଜର ଦନ୍ତରେ ତାକୁ ଖଣ୍ଡ ଖଣ୍ଡ କରି ଚରିଆଡ଼େ ପକାଇଦେଲା ଓ ନିଜେ ଅନେକ ଦିନ ପର୍ଯ୍ୟନ୍ତ ସେହି ହାତୀର ମାଂସକୁ ଖାଇଲା । ହେ କୁମ୍ଭୀର, ଏହିପରି ତୁ ମଧ୍ୟ ତୋର ସ୍ୱଜାତୀୟ ଶତ୍ରୁକୁ ଯୁଦ୍ଧରେ ବଧ କରି ତାକୁ ଖଣ୍ଡ ଖଣ୍ଡ କରି ଚାରି ଦିଗକୁ ଫିଙ୍ଗିବେ । ନୋଚେତ୍‌ ସେ ନିଜ ମୂଳକୁ ଦୃଢ଼ କରି ତୋତେ ବିନାଶ କରିବ । କାରଣ, କଥିତ ଅଛି–

 

ଗୋରୁଠାରୁ ଐଶ୍ୱର୍ଯ୍ୟ, ବ୍ରାହ୍ମଣଠାରୁ ତପଃ, ସ୍ତ୍ରୀଠାରୁ ଚପଳତା ଓ ନିଜ ଜାତିଠାରୁ ଭୟ ସମ୍ଭାବନା କରାଯାଇଥାଏ ।୮୨। ପୁଣି-

 

ବିଦେଶରେ ବିବିଧ ଉତ୍ତମ ଖାଦ୍ୟ ମିଳେ; ସ୍ତ୍ରୀମାନେ ଅସାବଧାନ ହୋଇଥାନ୍ତି । କିନ୍ତୁ ବିଦେଶର ଗୋଟିଏ ଦୋଷ ହେଉଛି ନିଜ ଜାତିର ଲୋକେ ବିରୋଧୀ ହୁଅନ୍ତି ।’’ ।୮୩।

 

କୁମ୍ଭୀର କହିଲା, ‘‘କିପରି ?’’

 

ବାନର କହିଲା–

 

କଥା-୧୫

 

କୌଣସି ଏକ ସ୍ଥାନରେ ଚିତ୍ରାଙ୍ଗ ନାମରେ ଗୋଟିଏ କୁକୁର ଥିଲା । ସେଠାରେ ଅନେକ କାଳ ପର୍ଯ୍ୟନ୍ତ ଦୁର୍ଭିକ୍ଷ ପଡ଼ିଲା । ଖାଦ୍ୟର ଅଭାବରୁ କୁକୁରମାନଙ୍କର ବଂଶ ବୁଡ଼ିଯିବାକୁ ବସିଲା । ଚିତ୍ରାଙ୍ଗ କ୍ଷୁଧାରେ ଶୁଷ୍କକଣ୍ଠ ହୋଇ ପ୍ରାଣଭୟରେ ଅନ୍ୟ ଏକ ଦେଶକୁ ଚାଲିଗଲା । ସେଠାରେ ଜଣକର ଘରେ ଗୃହିଣୀର ଅସାବଧାନତା ହେତୁ ଚିତ୍ରାଙ୍ଗ ପ୍ରତିଦିନ ଗୃହମଧ୍ୟରେ ପ୍ରବେଶ କରୁଥିଲା ଓ ନାନା ପ୍ରକାରର ଖାଦ୍ୟ ଖାଇ ମହାତୃପ୍ତି ଲାଭ କରୁଥିଲା । କିନ୍ତୁ ସେ ଗୃହରୁ ବାହାରିଲାବେଳକୁ ଅନ୍ୟ ମଦୋନ୍ମତ୍ତ କୁକୁରମାନେ ତାକୁ ଚାରିଦିଗରୁ ବେଢ଼ିଯାଇ ତା’ର ସର୍ବାଙ୍ଗକୁ ଦନ୍ତରେ ବିଦାରି ପକାଉଥିଲେ । ତହୁଁ ସେ ବିଚାର କଲା– ହାୟ ! ବରଂ ସ୍ୱଦେଶରେ ଦୁର୍ଭିକ୍ଷ ଭିତରେ ଶାନ୍ତିରେ ରହିବା ଭଲ । ସେଠାରେ କେହି ମୋତେ ଆକ୍ରମଣ କରୁନଥିଲେ । ତେଣୁ ନିଜ ନଗରକୁ ଫେରିଯିବି । ଏହା ସ୍ଥିର କରି ସେ ସ୍ୱଦେଶକୁ ଫେରିଗଲା ।

 

ବିଦେଶରୁ ଆସିବା ପରେ ତା’ର ସ୍ୱଜନମାନେ ତାକୁ ପଚାରିଲେ–‘‘ହେ ଚିତ୍ରାଙ୍ଗ, ଆମକୁ ସେ ଦେଶର ଖବର କହ । ସେ ଦେଶ କିପରି ? ଲୋକଙ୍କର ଚେଷ୍ଟା କିପରି ? ଖାଇବାକୁ କଅଣ ମିଳୁଥିଲା ? ସେଠାର ଲୋକଙ୍କ ବ୍ୟବହାର କିପରି ?’’

 

ସେ କହିଲା, ‘‘ବିଦେଶ ବିଷୟରେ କଅଣ କହିବି ? ‘ସୁଭିକ୍ଷାଣି ବିଚିତ୍ରାଣି ଶିଥିଳା ପୌରଯୋଷିତଃ’ ଇତ୍ୟାଦି ।’’

 

କୁମ୍ଭୀର ବାନରର ଉପଦେଶକୁ ଶୁଣି ଓ ମରଣକୁ ନିଶ୍ଚୟ କରି ବାନରର ଅନୁମତି ନେଇ ନିଜ ଘରକୁ ଗଲା । ସେଠାରେ ତା’ ଗୃହରେ ପ୍ରବେଶ କରିଥିବା ଆତତାୟୀ ସହିତ ଯୁଦ୍ଧ କରି ସବଳତା ହେତୁରୁ ସେ (କୁମ୍ଭୀର) ତାକୁ ବଧ କଲା ଓ ନିଜର ଗୃହକୁ ପୁନର୍ଲାଭ କରି ଚିରକାଳ ସୁଖରେ ବାସକଲା । ଯଥାର୍ଥରେ କଥିତ ଅଛି–

 

ପୌରୁଷ ବିନା ସହଜଲବ୍‌ଧ ଲକ୍ଷ୍ମୀଙ୍କ ଦ୍ୱାରା କି ଫଳ ? ଦେଖ, ବୃଦ୍ଧ ବଳଦ ଦୈବାତ୍‌ ମିଳୁଥିବା ଘାସ ହିଁ ଖାଉଥାଏ । ୮୪ ।

 

-ଲବ୍‌ଧ ପ୍ରଣାଶ ସମାପ୍ତ-